ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଏକ ସୁଖବର ସାମ୍ନାକୁ ଆସିଛି। ମଙ୍ଗଳବାର ସନ୍ଧ୍ୟାରେ ନନ୍ଦନକାନନର ଏନକ୍ଲୋଜର ନମ୍ବର ୧୮ ରେ ସିଂହୀ ଶ୍ରେୟା ଏକ ନବଜାତ ସିଂହ ଛୁଆକୁ ଜନ୍ମ ଦେଇଛି। ଶ୍ରେୟା ପ୍ରଥମଥର ପାଇଁ ମା’ ହୋଇଛନ୍ତି।
ଛୁଆକୁ ଅଲଗା କରାଯାଇ ସ୍ୱତନ୍ତ୍ର ଯତ୍ନ: ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରେୟା ପ୍ରଥମଥର ମା’ ହୋଇଥିବାରୁ ନବଜାତ ଛୁଆ ପ୍ରତି ଉଚିତ୍ ମାତୃସ୍ନେହ ବା ଯତ୍ନ ପ୍ରଦର୍ଶନ କରିନଥିଲେ। ଏହାକୁ ଦୃଷ୍ଟିରେ ରଖି ଜୁ କର୍ତ୍ତୃପକ୍ଷ ତତ୍କ୍ଷଣାତ୍ ପଦକ୍ଷେପ ନେଇ ଛୁଆସିଂହକୁ ମା’ଠାରୁ ଅଲଗା କରିଥିଲେ ଏବଂ ଏହାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆନିମଲ ନର୍ସରୀକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ପ୍ରାଥମିକ ତତ୍ତ୍ୱାବଧାନରେ ଛୁଆଟିକୁ ୱାର୍ମିଂ ଲାଇଟ୍ ତଳେ ରଖାଯିବା ସହ ଫିଡିଂ ବୋତଲ ଜରିଆରେ କ୍ଷୀର ତଥା ଖାଦ୍ୟ ଦିଆଯାଉଛି।
ଏହି ନୂତନ ଛୁଆର ଜନ୍ମ ପରେ ନନ୍ଦନକାନନରେ ସିଂହଙ୍କ ସମୁଦାୟ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଜୁ’ରେ ୧୩ଟି ଅଣ୍ଡିରା ସିଂହ, ୯ଟି ମାଈ ସିଂହ (ସିଂହୀ) ଏବଂ ଏହି ନବଜାତ ଛୁଆ ରହିଛନ୍ତି। ବିଶେଷ ଭାବେ, ନବଜାତ ଛୁଆର ପିତା ‘ହର୍ଷ’ ଏବଂ ମା’ ‘ଶ୍ରେୟା’ ପରସ୍ପର ଭାଇ-ଭଉଣୀ ଅଟନ୍ତି। ସେମାନେ ୨୦୨୪ ଅଗଷ୍ଟ ୨୯ ତାରିଖରେ ସିଂହ ‘ସମ୍ରାଟ’ ଏବଂ ସିଂହୀ ‘ବିଜଳି’ଙ୍କଠାରୁ ଜନ୍ମଗ୍ରହଣ କରିଥିଲେ।