ଭୁବନେଶ୍ଵର: ଭାରତରେ ଅକ୍ଟୋବର ମାସଟି ପର୍ବପର୍ବାଣୀ ଏବଂ ପର୍ଯ୍ୟଟନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। ପାଗରେ ପରିବର୍ତ୍ତନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଧାର୍ମିକ, ସାଂସ୍କୃତିକ ଏବଂ ସ୍ଥାନୀୟ ପରମ୍ପରାକୁ ନେଇ ବିଭିନ୍ନ ଉତ୍ସବ ଆରମ୍ଭ ହୋଇଥାଏ। ଯଦି ଆପଣ ଏଥର ସାଧାରଣ ଭ୍ରମଣ ବଦଳରେ କୌଣସି ବିଶେଷ ଉତ୍ସବର ଅଂଶବିଶେଷ ହେବାକୁ ଚାହୁଁଛନ୍ତି, ତେବେ ଅକ୍ଟୋବର ମାସରେ ଆପଣଙ୍କ ପାଇଁ ରହିଛି ଅନେକ ଆକର୍ଷକ ବିକଳ୍ପ। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ପ୍ରମୁଖ ଉତ୍ସବଗୁଡ଼ିକ ହେଲା:
ଦୁର୍ଗା ପୂଜା, କୋଲକାତା (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦୁର୍ଗା ପୂଜା ସମୟର ମାହୋଲ ସମ୍ପୂର୍ଣ୍ଣ ଅନନ୍ୟ ରହିଥାଏ। ଏଥର ଦୁର୍ଗା ପୂଜା ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସହରର ବିଭିନ୍ନ ସ୍ଥାନରେ ଆକର୍ଷକ ଥିମ୍-ଆଧାରିତ ପେଣ୍ଡାଲ, ଆଲୋକସଜ୍ଜା, ଧୂନୁଚି ନୃତ୍ୟ, ସିନ୍ଦୂର ଖେଳ ଏବଂ ସୁସ୍ୱାଦୁ ବଙ୍ଗାଳୀ ଖାଦ୍ୟ ଏହି ଯାତ୍ରାକୁ ଚିରସ୍ମରଣୀୟ କରିଥାଏ।
କାଭେରୀ ସଂକ୍ରାମଣ, କୋଡାଗୁ (କର୍ଣ୍ଣାଟକ): କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ପାଳିତ ହେଉଥିବା ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ‘ତୀର୍ଥୋଦ୍ଭବ’, ଯେତେବେଳେ ତଲକାଭେରୀସ୍ଥିତ ବ୍ରହ୍ମ କୁଣ୍ଡିକାରେ ପବିତ୍ର ଜଳ ପ୍ରକାଶ ପାଇବାର ପରମ୍ପରା ରହିଛି। ଅକ୍ଟୋବର ୧୭, ୨୦୨୬ ରେ ଅନୁଷ୍ଠିତ ହେବାକୁଥିବା ଏହି ଉତ୍ସବରେ ଶ୍ରଦ୍ଧାଳୁମାନେ ପବିତ୍ର ସ୍ନାନ କରିବା ସହ ସ୍ଥାନୀୟ ହସ୍ତଶିଳ୍ପ ଓ ଖାଦ୍ୟର ମଜା ନେଇଥାନ୍ତି।
ଆଣ୍ଡାମାନ ଏବଂ ନିକୋବରରେ ନଡ଼ିଆ କାର୍ନିଭାଲ୍: ସମୁଦ୍ର ଏବଂ ସ୍ଥାନୀୟ ସଂସ୍କୃତିର ମଜା ନେବା ପାଇଁ ଅକ୍ଟୋବର ୧୭ ଏବଂ ୧୮ ତାରିଖରେ କୋକନଟ୍ କାର୍ନିଭାଲ୍ ଆୟୋଜିତ ହେଉଛି। ଏଠାରେ ନଡ଼ିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟପଦାର୍ଥ, ସ୍ଥାନୀୟ ଉତ୍ପାଦ ଏବଂ ହସ୍ତଶିଳ୍ପର ପ୍ରଦର୍ଶନୀ ଦେଖିବାକୁ ମିଳିଥାଏ।
ଆନ୍ଥୁରିୟମ୍ ଫେଷ୍ଟିଭାଲ୍, ମିଜୋରାମ: ମିଜୋରାମର ସୁନ୍ଦର ପାହାଡ଼ି ଅଞ୍ଚଳ ରେଇକ୍ରେ ଆୟୋଜିତ ଏହି ଉତ୍ସବରେ ଆନ୍ଥୁରିୟମ୍ ଫୁଲ ଏବଂ ମିଜୋ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଲୋକସଙ୍ଗୀତ, ନୃତ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ।