ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଲୋକକଥା ଓ ସଂସ୍କୃତିରେ ‘ଦୂତୀ ବାହନ ଓଷା’, ଯାହାକୁ ଦୁତିଆ ଓଷା ବା ‘ପୁଅ ଜିଉଁତିଆ ଓଷା’ ନାମରେ ମଧ୍ୟ ଜଣାଯାଏ, ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବ୍ରତ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ। ପଶ୍ଚିମ ଓଡ଼ିଶାରେ ଏହାକୁ ମୁଖ୍ୟ ପର୍ବ ଭାବେ ‘ପୁଅ ଜିଉଁତିଆ’ ରୂପେ ପାଳନ କରାଯାଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏହା ଦୂତୀ ବାହନ ଓଷା ଭାବେ ପରିଚିତ।
ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ଏହି ନିର୍ଜଳା ଓଷାରେ ମା’ମାନେ ନିଜ ସନ୍ତାନର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଥାନ୍ତି। ବିବାହିତା ନାରୀମାନଙ୍କ ବ୍ୟତୀତ ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ମଧ୍ୟ ପୁତ୍ରଲାଭ ଆଶାରେ ଏହି ବ୍ରତ ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ଦିନ ମା’ମାନେ ସମଗ୍ର ଦିନ ଜଳସ୍ପର୍ଶ ନ କରି କଠୋର ଉପବାସ ରହିଥାନ୍ତି।
ପାରମ୍ପରିକ ‘ଘାଣ୍ଟ ତରକାରୀ’ର ମହତ୍ତ୍ୱ: ଓଷାର ପରଦିନ ଓଡ଼ିଶାର ପ୍ରତିଘରେ ସ୍ୱତନ୍ତ୍ର ‘ଘାଣ୍ଟ ତରକାରୀ’ ପ୍ରସ୍ତୁତ କରାଯାଇଥାଏ। କଞ୍ଚା କଦଳୀ, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ଚଣା, ବାଇଗଣ, ଗାଜର, ଅମୃତଭଣ୍ଡା ଏବଂ ବିଭିନ୍ନ ପ୍ରକାରର ପରିବା ପକାଇ ଏହି ଘାଣ୍ଟ ପ୍ରସ୍ତୁତ କରାଯାଏ। ପ୍ରଥମେ ଇଷ୍ଟଦେବୀଙ୍କୁ ଅର୍ପଣ କରାଯିବା ପରେ ଏହାକୁ ସାହିପଡ଼ିଶା ଏବଂ ବନ୍ଧୁବାନ୍ଧବଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଏହି ଘାଣ୍ଟ ତରକାରୀ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରିଚୟ ବହନ କରିଥାଏ।
ପୂଜାର ବିଧି ଓ ନୀତିକାନ୍ତି: ଜିଉଁତିଆର ପୂର୍ବଦିନ ମା’ମାନେ ନଦୀ ବା ପୋଖରୀ ତୁଠ ସଫା କରି ୧୦୮ ଅକ୍ଷତ ଅରୁଆ ଚାଉଳ, ୧୦୮ ଦୁବ, ଫୁଲ, ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ପାନ ଓ ବିଭିନ୍ନ ପ୍ରକାରର ଫଳ ଓ ପରିବା ସଂଗ୍ରହ କରନ୍ତି। ସନ୍ଧ୍ୟା ସମୟରେ ପୂଜାସ୍ଥାନରେ ମାଟିରେ ଦ୍ୱୀପ ପରି କୋଠି ତିଆରି କରାଯାଇ ତୁଳସୀ ଓ କଦଳୀ ଗଛ ଲଗାଯାଇ ବେଦୀ ନିର୍ମାଣ କରାଯାଏ। ସୂର୍ଯ୍ୟଦେବତା ଏବଂ ଜିମୂତବାହନଙ୍କୁ ପୂଜା କରାଯିବା ପରେ ଓଷା ସମ୍ପନ୍ନ ହୁଏ। ପରଦିନ ମା’ମାନେ ପୁଅମାନଙ୍କ ଆପାଦମସ୍ତକ ଛୁଆଁଇ କଷି କାକୁଡ଼ି, ଦୁବ ଓ ଚାଉଳ ସାହାଯ୍ୟରେ ପୁଅମାନଙ୍କୁ ବନ୍ଦାଇଥାନ୍ତି ଏବଂ ହାତରେ ଜିଉଁତିଆ (କବଚ) ବାନ୍ଧି ଦେଇଥାନ୍ତି।