ଭୁବନେଶ୍ୱର: ଶାରଦୀୟ ନବରାତ୍ରୀର ପଞ୍ଚମ ଦିନରେ ମା’ ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ ମା’ ସ୍କନ୍ଦମାତାଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଉଛି। ଦେବୀଙ୍କ ଏହି ସ୍ୱରୂପ ଭଗବାନ କାର୍ତ୍ତିକେୟ (ଯାହାଙ୍କୁ ‘ସ୍କନ୍ଦ’ ମଧ୍ୟ କୁହାଯାଏ) ଙ୍କ ମାତା ହୋଇଥିବାରୁ ଅତ୍ୟନ୍ତ ମହିମାମୟ ବୋଲି ବିବେଚନା କରାଯାଇଥାଏ।
ତାରାସୁର ବଧ ଏବଂ ମା’ ସ୍କନ୍ଦମାତାଙ୍କ ଆବିର୍ଭାବ: ପୌରାଣିକ କାହାଣୀ ଅନୁଯାୟୀ, ପ୍ରାଚୀନ କାଳରେ ତାରାସୁର ନାମକ ଜଣେ ଶକ୍ତିଶାଳୀ ଅସୁର ବ୍ରହ୍ମାଙ୍କୁ ପ୍ରସନ୍ନ କରି ଏପରି ଏକ ବରଦାନ ମାଗିଥିଲା ଯେ, ତାହାର ବଧ କେବଳ ଭଗବାନ ଶିବଙ୍କ ପୁତ୍ରଙ୍କ ହାତରେ ହିଁ ସମ୍ଭବ ହୋଇପାରିବ। ଭଗବାନ ଶିବ ସଦାସର୍ବଦା ତପସ୍ୟାରେ ଲୀନ ରହୁଥିବାରୁ ନିଜକୁ ଅମର ମନେକରି ତାରାସୁର ଦେବତା ଓ ଋଷିମୁନିଙ୍କୁ ଅତିଷ୍ଠ କରିପକାଇଥିଲା।
ଦେବତାମାନଙ୍କ ପ୍ରାର୍ଥନାକ୍ରମେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ମିଳନରୁ ଭଗବାନ କାର୍ତ୍ତିକେୟ ଜନ୍ମଗ୍ରହଣ କରିଥିଲେ। ମା’ ପାର୍ବତୀ ନିଜ ପୁତ୍ରଙ୍କୁ ସାହସ, ଶକ୍ତି ଏବଂ ଯୁଦ୍ଧ କୌଶଳରେ ନିପୁଣ କରି ଗଢ଼ିିୋଳିଥିଲେ। ପରେ ସ୍କନ୍ଦ ଦେବସେନାର ସେନାପତି ହୋଇ ଅସୁର ତାରାସୁରକୁ ଯୁଦ୍ଧରେ ବଧ କରିଥିଲେ ଏବଂ ତିନିଲୋକରେ ଶାନ୍ତି ପ୍ରତିଷ୍ଠା କରିଥିଲେ।
ମାତାଙ୍କ ଦିବ୍ୟ ସ୍ୱରୂପ: ପୁତ୍ର କାର୍ତ୍ତିକେୟଙ୍କୁ କୋଳରେ ଧାରଣ କରିଥିବାରୁ ମା’ ପାର୍ବତୀଙ୍କ ଏହି ରୂପକୁ ‘ସ୍କନ୍ଦମାତା’ କୁହାଯାଏ। ଦେବୀଙ୍କ ଏହି ସ୍ୱରୂପ ମାତାଙ୍କ ଅସୀମ ମମତା ଏବଂ ଅପାର ଶକ୍ତିର ପ୍ରତୀକ ଅଟେ। ନବରାତ୍ରୀର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତମାନଙ୍କୁ ସୁଖ, ଶାନ୍ତି, ସାହସ ଏବଂ ପରିବାରରେ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।