ପୁରୀ: ଦୀର୍ଘ ୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାର ସାଧାରଣ ଭକ୍ତଙ୍କ ପାଇଁ ପୁଣିଥରେ ଉନ୍ମୁକ୍ତ ହୋଇଛି। ପ୍ରାତଃ ନୀତିକାନ୍ତି ପରେ ପ୍ରାୟ ସକାଳ ୭:୪୫ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା।
ମନ୍ଦିର ପୁନଃଖୋଲାଯିବା ଅବସରରେ ପ୍ରଥମ ୩ ଦିନ ପାଇଁ ଭକ୍ତମାନେ ବିନା କୌଣସି ଶୁଳ୍ପରେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିପାରିବେ। ଏହାପରେ ପ୍ରତ୍ୟେକ ଭକ୍ତଙ୍କ ପାଇଁ ୧୦ ଟଙ୍କିଆ ପ୍ରବେଶ ଶୁଳ୍ପ ଧାର୍ଯ୍ୟ କରାଯାଇଛି। ତେବେ ୫ ବର୍ଷରୁ କମ୍ ଶିଶୁ, ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା ରହିବ।
ମନ୍ଦିରଟି ସାଧାରଣତଃ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ଶୀତଦିନେ ଅର୍ଥାତ୍ ନଭେମ୍ବରରୁ ଫେବୃଆରୀ ମଧ୍ୟରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା) ଖୋଲା ରହିବ।ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଆନନ୍ଦବଜାର ନିକଟରେ ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ନାକଚଣା ଦ୍ୱାର ବର୍ତ୍ତମାନ ବନ୍ଦ ରହିଛି। ଏହାଛଡ଼ା ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ୍ ସୁବିଧା ଏବଂ ଜୋତା ଓ ମୋବାଇଲ୍ ଜମା କରିବା ପାଇଁ ମାଗଣା କାଉଣ୍ଟରର ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ କୋଭିଡ୍ ମହାମାରୀ ସମୟରୁ ଏହି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଥିଲା। କେବଳ ବାର୍ଷିକ ରଥଯାତ୍ରା ସମୟରେ ଅଡ଼ପ ମଣ୍ଡପରେ ଦେବଦର୍ଶନର ସୁଯୋଗ ମିଳୁଥିଲା।