ପୁରୀ/ସାକ୍ଷୀଗୋପାଳ: ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଅବସରରେ ଆଜି ରାଜ୍ୟସାରା ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ‘ରାଧାଷ୍ଟମୀ’। ବୈଷ୍ଣବ ପରମ୍ପରାରେ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ‘ଜନ୍ମାଷ୍ଟମୀ’ ଭଳି ଶ୍ରୀରାଧାଙ୍କ ଜନ୍ମଦିନକୁ ‘ରାଧାଷ୍ଟମୀ’ ଭାବେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ।
ଏହି ଦିନ ବୈଷ୍ଣବମାନେ ଶ୍ରୀରାଧାଙ୍କ ବ୍ରତ ପାଳନ କରିବା ସହ ତାଙ୍କର ଜନ୍ମ ବୃତ୍ତାନ୍ତ ଓ ବ୍ରତ କଥା ପାଠ କରିଥାନ୍ତି। ପୌରାଣିକ କଥାବସ୍ତୁ ଅନୁସାରେ, ସୂର୍ଯ୍ୟଦେବଙ୍କ କଠିନ ତପସ୍ୟାରେ ପ୍ରସନ୍ନ ହୋଇ ଶ୍ରୀହରି ତାଙ୍କୁ ଏକ ଗୁଣବତୀ କନ୍ୟାର ବର ଦେଇଥିଲେ, ଯାହାଙ୍କ ପ୍ରତି ଶ୍ରୀହରି ସଦାସର୍ବଦା ବଶୀଭୂତ ରହିବେ।
ପରବର୍ତ୍ତୀ ସମୟରେ ପୃଥିବୀର ଭାର ଲାଘବ ପାଇଁ ସୂର୍ଯ୍ୟଦେବ ବୃଷଭାନୁ ରାଜା ଭାବେ ଜନ୍ମଗ୍ରହଣ କରିଥିଲେ। ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥି ବିଶାଖା ନକ୍ଷତ୍ରରେ ରାଣୀ କୀର୍ତ୍ତିଦାଙ୍କ ଗର୍ଭରୁ ଶ୍ରୀରାଧାଙ୍କର ଆବିର୍ଭାବ ହୋଇଥିଲା।
ଶ୍ରୀକୃଷ୍ଣଙ୍କ କରୁଣା ଓ ଭକ୍ତି ଲାଭ ପାଇଁ ରାଧାଷ୍ଟମୀ ବ୍ରତର ବିଶେଷ ମାହାତ୍ମ୍ୟ ରହିଛି। ଏହି ପବିତ୍ର ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶ୍ରୀମନ୍ଦିର ଏବଂ ସାକ୍ଷୀଗୋପାଳ ମନ୍ଦିର ସମେତ ବିଭିନ୍ନ ଶ୍ରୀକୃଷ୍ଣ ଓ ରାଧା-କୃଷ୍ଣ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ନୀତିକାନ୍ତି, ପୂଜାର୍ଚ୍ଚନା ଓ ବେଶ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ମଧ୍ୟ ଏହି ଦିନ ଠାକୁରଙ୍କର ସ୍ୱତନ୍ତ୍ର ପୂଜାବିଧି ସଂପନ୍ନ କରାଯାଉଛି।