ଗୁଜରାଟ : ବିବାହ କରିବେ କେମିତି ? ଛାଡ଼ପତ୍ର ନେବେ କେଉଁ ଆଇନରେ ? ସମ୍ପତ୍ତିରେ କାହାର କେତେ ଅଧିକାର ? ଦତ୍ତକ ଠାରୁ ଲିଭ୍-ଇନ୍ ସମ୍ପର୍କ ପରିବାର ଓ ବ୍ୟକ୍ତିଗତ ଜୀବନର ଏହି ସବୁ ବଡ଼ ବିଷୟରେ ଏବେ ଆସିବ ଏକ ସାଧାରଣ ଆଇନର ଢାଞ୍ଚା। ଗୁଜରାଟରେ ବଦଳିବାକୁ ଯାଉଛି ବ୍ୟକ୍ତିଗତ ଆଇନର ଚିତ୍ର।
ଗୁଜରାଟର UCC ବିଲ୍କୁ ମିଳିଛି ରାଷ୍ଟ୍ରପତିଙ୍କ ଅନୁମୋଦନ। ମାର୍ଚ୍ଚରେ ଗୁଜରାଟ ବିଧାନସଭାରେ ପାସ୍ ହୋଇଥିବା ଏହି ବିଲ୍ ଏବେ ଆଇନର ରୂପ ନେଇଛି। ସେପ୍ଟେମ୍ବର ୧୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ, ଅକ୍ଟୋବର ୧ରେ ଏହା ରାଜ୍ୟର Extraordinary Gazetteରେ ପ୍ରକାଶ ପାଇଛି। ଗୁଜରାଟ ବିଧାନସଭାରେ ଏହି ବିଲ୍ ଉପରେ ପ୍ରାୟ ୮ ଘଣ୍ଟା ଧରି ଆଲୋଚନା ହୋଇଥିଲା। କିନ୍ତୁ ଏଠି ରହିଛି ସବୁଠାରୁ ବଡ଼ ପ୍ରଶ୍ନ, ମଞ୍ଜୁରୀ ମିଳିଛି ହେଲେ UCC କାର୍ଯ୍ୟକାରୀ ହୋଇନାହିଁ। ଏହା କେଉଁ ତାରିଖରୁ ଲାଗୁ ହେବ, ସେନେଇ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ। ଅର୍ଥାତ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏବେ ଆରମ୍ଭ ହେବ ଅସଲ ପର୍ଯ୍ୟାୟ ନିୟମ କ’ଣ ହେବ, କେବେ ଲାଗୁ ହେବ ଏବଂ ବାସ୍ତବରେ କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ଏବେ ସମସ୍ତଙ୍କ ନଜର ।
ତାହେଲେ ଗୁଜରାଟ UCCରେ ଏମିତି କ’ଣ ରହିଛି, ଯାହାକୁ ନେଇ ଏତେ ଚର୍ଚ୍ଚା ?
UCCର ମୁଖ୍ୟ ଲକ୍ଷ୍ୟ ହେଉଛି ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ,ଦତ୍ତକ ଏବଂ ଲିଭ୍-ଇନ୍ ସମ୍ପର୍କ ଭଳି ବ୍ୟକ୍ତିଗତ ନାଗରିକ ଅଧିକାରରେ ଜାତି ଧର୍ମ ନିର୍ବିଶେଷରେ ଏକ ସାଧାରଣ ଆଇନଗତ ଢାଞ୍ଚା ଆଣିବା। ଅର୍ଥାତ୍, ବିଭିନ୍ନ ଧର୍ମ ପାଇଁ ଭିନ୍ନ ବ୍ୟକ୍ତିଗତ ଆଇନ ବଦଳରେ ଏହି କ୍ଷେତ୍ରଗୁଡ଼ିକରେ ଏକ ସମାନ ଆଇନଗତ ବ୍ୟବସ୍ଥା ରହିବ। ବିବାହ ଓ ଛାଡ଼ପତ୍ରର ନିୟମରେ ପରିବର୍ତ୍ତନ ସହ ବହୁବିବାହ ଉପରେ ରୋକ ଲାଗିବାର ବ୍ୟବସ୍ଥା ରହିଛି। ଉତ୍ତରାଧିକାରୀ ଆଇନରେ ମଧ୍ୟ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା ଅଛି। ଦତ୍ତକ ଏବଂ ଇଚ୍ଛାପତ୍ର ମାଧ୍ୟମରେ ସମ୍ପତ୍ତି ହସ୍ତାନ୍ତର ଭଳି ବିଷୟକୁ ମଧ୍ୟ ଏହି ଆଇନର ଢାଞ୍ଚାରେ ରଖାଯାଇଛି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଲିଭ୍-ଇନ୍ ସମ୍ପର୍କ। UCC ଏହି ସମ୍ପର୍କକୁ ଆଇନଗତ ଢାଞ୍ଚା ମଧ୍ୟରେ ଆଣିବା ସହ ପଞ୍ଜୀକରଣ ଏବଂ ସମ୍ପର୍କ ଶେଷ କରିବା ପାଇଁ ଔପଚାରିକ ବ୍ୟବସ୍ଥା ରହିଛି। ଏହି ସମ୍ପର୍କରୁ ଜନ୍ମିତ ଶିଶୁଙ୍କ ଅଧିକାରକୁ ମଧ୍ୟ ଆଇନଗତ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି।
ତେବେ ଗୁଜରାଟର UCC ସମ୍ପୂର୍ଣ୍ଣ ଭାବେ ସମସ୍ତଙ୍କ ପାଇଁ ଲାଗୁ ହେବ ନାହିଁ। ଆଦିବାସୀ ହରିଜନ ଏବଂ ସମ୍ବିଧାନର ଭାଗ ୨୧ ଅଧୀନରେ ପାରମ୍ପରିକ ଅଧିକାର ସୁରକ୍ଷିତ ଥିବା କିଛି ବର୍ଗଙ୍କୁ ଏହି ଆଇନର ପରିସରରୁ ବାଦ ଦିଆଯାଇଛି। ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି UCC ଆଇନକୁ ଅନୁମୋଦନ ମିଳିଥିବା ଦ୍ୱିତୀୟ ରାଜ୍ୟ। ତେବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ନଜର ରହିଛି ପରବର୍ତ୍ତୀ ପଦକ୍ଷେପ ଉପରେ। କେବେ ଲାଗୁ ହେବ UCC ? କ’ଣ ରହିବ ଏହାର ନିୟମ ଏବଂ ପ୍ରକୃତରେ ଏହା କିପରି କାମ କରିବ ? କାରଣ ଆଇନ ପାସ୍ ହେବା ଗୋଟିଏ ପର୍ଯ୍ୟାୟ ଆଇନକୁ ଲୋକଙ୍କ ଜୀବନରେ କାର୍ଯ୍ୟକାରୀ କରିବା ହେଉଛି ଅସଲ ପରୀକ୍ଷାର ବିଷୟ।