ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଓ ଜନସେବା ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାରରୁ ଏକ ମାସବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ କରିଛି। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପଡ଼ୁଥିବା ବେଳେ ଅକ୍ଟୋବର ମାସରେ ତାଙ୍କ ଜନସେବାର ୨୫ ବର୍ଷ ପୂରଣ ହେଉଛି।
ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଦଳୀୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏହି ଅଭିଯାନ ବିଷୟରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ବିଗତ ୨୫ ବର୍ଷ ଧରି ସେ ନିରନ୍ତର ଭାବେ ‘ଜନସେବାରୁ ରାଷ୍ଟ୍ରସେବା’ ମନ୍ତ୍ରରେ କାର୍ଯ୍ୟ କରିଆସୁଛନ୍ତି।
ବିଜେପି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରେ। ଏହି ପରମ୍ପରାକୁ ଆଗକୁ ନେଇ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା, ବିକାଶ ଓ ରାଷ୍ଟ୍ର ନିର୍ମାଣର ଗାଥାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ।
ମହାକାଳଙ୍କ ନଗରୀ ଉଜ୍ଜୟିନୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ରାଜ୍ୟ ବିଜେପି ସଭାପତି ହେମନ୍ତ ଖଣ୍ଡେଲୱାଲଙ୍କ ଉପସ୍ଥିତିରେ ଏହି ଅଭିଯାନର ଶୁଭାରମ୍ଭ କରୁଛନ୍ତି। ମାସସାରା ସାରା ଦେଶରେ ବିଭିନ୍ନ ସାମାଜିକ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।