ଭୁବନେଶ୍ୱର: ଆରମ୍ଭରୁ ହଟ୍ଟଗୋଳରେ ଉଠିଲା ଓଡ଼ିଶା ବିଧାନସଭା। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ହୋହଲ୍ଲା କରିଥିଲେ।
ବିଶେଷକରି MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ଏବଂ ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଗୃହରେ ତୀବ୍ର ପ୍ରତିବାଦ ଦେଖାଯାଇଥିଲା। MMDR ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ଅଧିବେଶନ ପୂର୍ବରୁ ମଧ୍ୟ ନିଜ ଆପତ୍ତି ଜଣାଇଥିଲେ।
ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଏହା ଫଳରେ ସ୍ୱାଭାବିକ ଭାବେ ଗୃହକାର୍ଯ୍ୟ ଚଳାଇବାରେ ବାଧା ସୃଷ୍ଟି ହୋଇଥିଲା। ବାଚସ୍ପତି ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ଗୃହକୁ ଦିନ ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିବା ସୂଚନା ମିଳିଛି।
ଅଧିବେଶନ ଆରମ୍ଭରେ ଦିବଙ୍ଗତ ନେତା ଏବଂ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ରାମମୂର୍ତ୍ତି ଗମାଙ୍ଗୋ, ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ଶିବାଜୀ ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିଥିଲେ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଦିବଙ୍ଗତ ନେତାମାନଙ୍କ ପ୍ରତି ଶୋକବ୍ୟକ୍ତ କରିଥିଲେ। ବାଚସ୍ପତି ଶୋକ ପ୍ରସ୍ତାବ ଗ୍ରହଣ କରିବା ପରେ ସମସ୍ତ ସଦସ୍ୟ ଛିଡ଼ା ହୋଇ ଦିବଙ୍ଗତଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରିଥିଲେ।
ଚଳିତ ଅଧିବେଶନରେ MMDR ସଂଶୋଧନ ଆଇନକୁ ନେଇ ବିରୋଧୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯିବାର ସମ୍ଭାବନା ରହିଛି। ବିଜେଡି ଏହି ଆଇନ ପ୍ରତ୍ୟାହାର ପାଇଁ ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ କହିଛନ୍ତି ଯେ ନୂଆ ବ୍ୟବସ୍ଥା ରାଜ୍ୟର ଖଣିଜ ରାଜସ୍ୱର ସ୍ଥିରତାକୁ ପ୍ରଭାବିତ କରିବ ନାହିଁ। ଏହି ପ୍ରସଙ୍ଗରେ ସରକାର ଓ ବିରୋଧୀଙ୍କ ମତ ଭିନ୍ନ ରହିଛି।
ସେହିପରି ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ମଧ୍ୟ ଅଧିବେଶନରେ ଉଠିବାକୁ ଥିବା ମୁଖ୍ୟ ବିଷୟ ମଧ୍ୟରେ ରହିଛି। ପୂର୍ବରୁ SCERT ପକ୍ଷରୁ ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିଗୁଡ଼ିକୁ corrigendum ମାଧ୍ୟମରେ ସଂଶୋଧନ କରିବା ଏବଂ ଶିକ୍ଷକଙ୍କ ମାଧ୍ୟମରେ ସେଗୁଡ଼ିକୁ ଠିକ୍ କରିବା ବ୍ୟବସ୍ଥା କରାଯାଇଥିବା କହିଥିଲା।
ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ପ୍ରାୟ ୬ଟି ବିଲ୍ ଗୃହରେ ଆସିବାର ସମ୍ଭାବନା ରହିଛି।
ଏହାଛଡ଼ା ମହାନଦୀ ବିବାଦ, ବନ୍ୟା ପରିଚାଳନା, ଆଇନଶୃଙ୍ଖଳା, କୃଷି ସମସ୍ୟା, ମହିଳା ସୁରକ୍ଷା ଏବଂ ଜନଜାତିଙ୍କ ଅଧିକାର ଭଳି ପ୍ରସଙ୍ଗ ମଧ୍ୟ ଆଲୋଚନାକୁ ଆସିପାରେ। ଅଧିବେଶନ ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜ ନିଜ ଏଜେଣ୍ଡା ପ୍ରସ୍ତୁତ କରିଥିବା ବେଳେ ଶାସକ ବିଜେପି ମଧ୍ୟ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେବା ପାଇଁ ପ୍ରସ୍ତୁତ ଥିବା କହିଥିଲା।
ସ୍ୱଳ୍ପ ଅବଧିର ଏହି ମୌସୁମୀ ଅଧିବେଶନରେ ଆଗାମୀ ଦିନଗୁଡ଼ିକରେ ବିଭିନ୍ନ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆଲୋଚନା ଜୋରଦାର ହେବା ସମ୍ଭାବନା ରହିଛି।