ପାଟଣା: ବିହାରର ଜମୁଇ ଜିଲ୍ଲାରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଯାତନା ଦେବା ଏବଂ ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଅଭିଯୋଗରେ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି।
ନାବାଳିକାଙ୍କ ପରିଚୟ ପଦାରେ ପକାଇଥିବା ୧୨୦ଟି ସୋସିଆଲ ମିଡିଆ ପ୍ରୋଫାଇଲ୍ ଧାରକଙ୍କ ବିରୋଧରେ ଜମୁଇ ସାଇବର ଥାନାରେ ସ୍ୱତନ୍ତ୍ର ଏଫଆଇଆର୍ ରୁଜୁ କରାଯାଇଛି। ପୋକ୍ସୋ ଆକ୍ଟ, ଆଇଟି ଆକ୍ଟ ଏବଂ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅଧୀନରେ ଏହି ମାମଲା ଦାୟର କରାଯାଇଛି।
ଗତ ଶନିବାର ସନ୍ଧ୍ୟାରେ ଜମୁଇର ଏକ ପର୍ଯ୍ୟଟନ ସ୍ଥଳୀରୁ ଫେରୁଥିବା ବେଳେ ଦଶମ ଶ୍ରେଣୀର ଜଣେ ନାବାଳକ ଓ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ଅତ୍ୟାଚାର କରିବା ସହ ପିଛା କରିଥିଲେ। ପୋଲିସ ଭିଡିଓ ଆଧାରରେ ୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସଡିପିଓ (SDPO) ଦୀପ୍ତି ମୋନାଲିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରାଯାଇଛି।
ଜମୁଇ ଏସପି ବିଶ୍ୱଜୀତ ଦୟାଲ କହିଛନ୍ତି ଯେ ନାବାଳିକା ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଏବଂ ଭିଡିଓ ଭାଇରାଲ୍ କରିବା ଏକ ସଂବେଦନଶୀଳ ଓ ଗୁରୁତର ଆଇନଗତ ଅପରାଧ। ଏହି ଭିଡିଓକୁ ସେୟାର ବା ପ୍ରସାରିତ ନକରିବା ପାଇଁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ବିହାର ରାଜନୀତି ବେଶ୍ ସରଗରମ ହୋଇଉଠିଛି।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆରଜେଡି ନେତା ତେଜସ୍ୱୀ ଯାଦବ, ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଏହି ଘଟଣାକୁ ନେଇ ନୀତୀଶ କୁମାର ସରକାର ଓ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛନ୍ତି।
ଅନ୍ୟପଟେ ଶାସକ ଜେଡିୟୁ (JDU) ଓ ବିଜେପି (BJP) ନେତାମାନେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସ୍ପଷ୍ଟ କରିଛନ୍ତି।