ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଡିସେମ୍ବର ମାସରେ ଆମେରିକା ଗସ୍ତରେ ଯିବାର ସମ୍ଭାବନା ରହିଛି। ଫ୍ଲୋରିଡାର ମିଆମି ସ୍ଥିତ ଟ୍ରମ୍ପ ନ୍ୟାସନାଲ ଡୋରାଲ ଠାରେ ଆସନ୍ତା ଡିସେମ୍ବର ୧୪ ଏବଂ ୧୫ ତାରିଖରେ ଅନୁଷ୍ଠିତ ହେବାକୁଥିବା G20 ଶିଖର ସମ୍ମିଳନୀରେ ସେ ଯୋଗଦେଇପାରନ୍ତି।
ଏହି ସମ୍ମିଳନୀର ଆୟୋଜନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରିବେ। ଯଦିଓ ଭାରତ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି G20 ସମ୍ମିଳନୀ ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଦ୍ୱିପକ୍ଷୀୟ ବୈଠକ ହେବାର ବାଟ ଫିଟିପାରେ ବୋଲି ଆଶା କରାଯାଉଛି।
ବ୍ୟାପାର, ଶକ୍ତି ଏବଂ ରୁଷିଆ ତେଲ କ୍ରୟ ପ୍ରସଙ୍ଗ:ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ପ୍ରସଙ୍ଗ ଏବଂ ରୁଷିଆଠାରୁ ଭାରତର ତେଲ କ୍ରୟ ନୀତିକୁ ନେଇ କିଛି ମତଭେଦ ଜାରି ରହିଛି। ଆମେରିକା ପକ୍ଷରୁ ରୁଷିଆରୁ ତେଲ କ୍ରୟ କରୁଥିବା ଦେଶଗୁଡ଼ିକ ଉପରେ କଟକଣା ଓ ଟ୍ୟାରିଫ୍ ଲଗାଇବା ନେଇ ଚର୍ଚ୍ଚା ଚାଲିଥିବାବେଳେ, ଏହି ସମ୍ଭାବ୍ୟ ବୈଠକରେ ଦ୍ୱିପକ୍ଷୀୟ ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ହୋଇପାରେ।
କ୍ୱାଡ୍ (Quad) ବୈଠକର ମଧ୍ୟ ସମ୍ଭାବନା:ଆମେରିକାରେ ଭାରତୀୟ ଦୂତ ସର୍ଜିଓ ଗୋର୍ (Sergio Gor) ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସମ୍ପର୍କରେ ସୂଚନା ଦେଇଛନ୍ତି। G20 ସମ୍ମିଳନୀ ବ୍ୟତୀତ ଏହି ଅବସରରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ‘କ୍ୱାଡ୍’ (Quad) ଦେଶଗୁଡ଼ିକର ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହେବାର ମଧ୍ୟ ପ୍ରସ୍ତୁତି ଚାଲିଛି।