କେନ୍ଦ୍ରାପଡ଼ା: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାବେଳେ କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ସମୁଦ୍ର କୂଳ ଲଙ୍ଘିଛି। ପ୍ରବଳ ଜୁଆର ଏବଂ ଉଚ୍ଚ ତରଙ୍ଗ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ସାତଭାୟା ଅଞ୍ଚଳରେ ସମୁଦ୍ର ପ୍ରାୟ ୨ଶହ ଫୁଟ୍ କୂଳ ଲଙ୍ଘି ଭିତରକୁ ମାଡ଼ିଆସିଛି। ଏହାର ପ୍ରଭାବରେ ସେଠାକାର ବାଲି ପାହାଡ଼ ଧସିଯିବା ସହ ବହୁ ଗଛ ଉପୁଡ଼ି ପଡ଼ିଛି ଏବଂ ଜମିରେ ବାଲିଚର ଜମି ଯାଇଛି।
ପୂର୍ବରୁ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇସାରିଥିବାବେଳେ ବର୍ତ୍ତମାନ ବାଲି ପାହାଡ଼ ମଧ୍ୟ ସମୁଦ୍ର ଗର୍ଭକୁ ଟାଣି ହୋଇଯାଇଛି। ଏହି ଘଟଣା ପରେ ସମୁଦ୍ର କୂଳିଆ ଗ୍ରାମବାସୀମାନେ ଅତ୍ୟନ୍ତ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସେପଟେ ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ ମଧ୍ୟ ସମୁଦ୍ର କୂଳ ଲଙ୍ଘିଛି। ରାମତରା ମୀରା ସି-ବିଚ୍ ନିକଟରେ ସୁରକ୍ଷା ପାଇଁ ଦିଆଯାଇଥିବା ବାଲି ବସ୍ତା ଭାଙ୍ଗି ପ୍ରାୟ ୧୦୦ ଫୁଟର ଏକ ବିରାଟ ଘାଇ ସୃଷ୍ଟି ହୋଇଛି।
ଗତବର୍ଷ ମଧ୍ୟ ଠିକ୍ ଏହି ସ୍ଥାନରେ ଘାଇ ହୋଇଥିବାବେଳେ ଏବେ ପୁଣିଥରେ ସମୁଦ୍ର ବାଲି ବସ୍ତାଗୁଡ଼ିକୁ ଭସାଇ ନେଇଛି। ଏହି ଘାଇ ଦେଇ ସମୁଦ୍ରର ଲୁଣା ପାଣି ସିଧାସଳଖ ନଦୀ ଏବଂ ସ୍ଥାନୀୟ ଚାଷ ଜମିରେ ପ୍ରବେଶ କରିଛି। ଚାଷ ଜମିରେ ଲୁଣା ପାଣି ମାଡ଼ିଯିବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା ବୃଦ୍ଧି ପାଇଛି ଏବଂ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।