ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୮ ତାରିଖରେ ରାଜ୍ୟବ୍ୟାପୀ ‘ଓଡ଼ିଶା ବନ୍ଦ’ ଡାକରା ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ବନ୍ଦ ଡାକରା ଦେଇ କହିଛନ୍ତି ଯେ, ଏହି ଆନ୍ଦୋଳନ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ।
ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱରର ଲୋୟର ପିଏମ୍ଜି ଠାରେ କଂଗ୍ରେସ ଏବଂ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଶୋଧିତ ଏମଏମଡିଆର୍ ଆଇନ, ଏସଆଇଆର୍, ମୁଖ୍ୟ ନିର୍ବାଚନ କମିଶନରଙ୍କ ଭୂମିକା ଏବଂ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ଏହି ପ୍ରତିବାଦ କରାଯାଇଥିଲା। ଏହି ଆନ୍ଦୋଳନରେ କଂଗ୍ରେସ ସହ CPI, CPM, CPI(ML), ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, RJD ଏବଂ NCPର ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ।
କଂଗ୍ରେସ ଭବନରୁ ଏକ ବିରାଟ ରାଲି ବାହାରି ଗାନ୍ଧୀମାର୍ଗରେ ପହଞ୍ଚିବା ପରେ ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୋୟର ପିଏମ୍ଜି ଓ ଆଖପାଖ ଅଞ୍ଚଳରେ ଦଙ୍ଗା ନିୟନ୍ତ୍ରଣ ଯାନ, ୱାଟର କ୍ୟାନନ ଏବଂ ବଜ୍ର ଯାନ ମୁତୟନ କରାଯାଇଥିଲା। ଏହାବ୍ୟତୀତ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।