ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ଡାକରା ଦିଆଯାଇଥିବା ‘ଓଡ଼ିଶା ବନ୍ଦ’କୁ ଦୃଷ୍ଟିରେ ରଖି ରାଜ୍ୟରେ କୌଣସି ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ରଖାଯାଇ ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (BSE) ସ୍ପଷ୍ଟ କରିଛି।
ମଙ୍ଗଳବାର ଦିନ BSE ସଭାପତି ଶ୍ରୀକାନ୍ତ ତରାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ବନ୍ଦ ଯୋଗୁଁ ପରୀକ୍ଷା ବାତିଲ ହୋଇଥିବା ନେଇ ଯେଉଁ ସବୁ ଭୂଆଁ ବୁଲାଇବା ଭଳି ଖବର ପ୍ରଚାରିତ ହେଉଛି, ସେସବୁ ସମ୍ପୂର୍ଣ୍ଣ ଭିତ୍ତିହୀନ। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ହିଁ ସମସ୍ତ ପରୀକ୍ଷା ପରିଚାଳିତ ହେବ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ସ୍କୁଲ ପାଠ୍ୟପୁସ୍ତକରେ ରହିଥିବା ବହୁ ତ୍ରୁଟିକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି NNKS ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନର ଘୋଷଣା କରାଯାଇଛି।
ପାଠ୍ୟପୁସ୍ତକ ବିବାଦ ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ହଜାର ହଜାର ଭୁଲ୍ ରହିଥିବା ଅଭିଯୋଗକୁ ନେଇ ଶିକ୍ଷାବିତ୍ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।