ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ (NNKS) ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ପ୍ରଭାବରେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ଓ ଯାତାୟାତ ପ୍ରଭାବିତ ହୋଇଛି।
ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଗାଡ଼ିମୋଟର ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି।
ଭୁବନେଶ୍ୱରର ବାରମୁଣ୍ଡା ଏବଂ ବିଭିନ୍ନ ପ୍ରମୁଖ ସ୍ଥାନରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ରାସ୍ତାରେ ଟାୟାର ଜାଳି ପାଟିତୁଣ୍ଡ କରିବା ସହ ଟ୍ରାଫିକ୍ ଚଳାଚଳକୁ ବାଧାପ୍ରାପ୍ତ କରିଛନ୍ତି।
ବାଲେଶ୍ୱର ଜିଲ୍ଲା ସୋର ତଳନଗର ଛକ ନିକଟରେ ଜାତୀୟ ରାଜପଥ-୧୬ (NH-16) କୁ ଆନ୍ଦୋଳନକାରୀମାନେ ଅବରୋଧ କରିଥିବାବେଳେ ଜଗତସିଂହପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି।
ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ କେବଳ ଭୁବନେଶ୍ୱରରେ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯଦି ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି NNKS ପକ୍ଷରୁ ଚେତାବନୀ ଦିଆଯାଇଛି।