ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା କଥିତ ଆକ୍ରମଣକୁ ନେଇ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।
ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ରେ ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନବୀନ ପଟ୍ଟନାୟକ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ପ୍ରତିକ୍ରିୟା ରଖି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।
ରାଜ୍ୟରେ ଆଇନର ଶାସନ ଚାଲିଛି କିମ୍ବା ‘ଗୁଣ୍ଡାରାଜ’ ଚାଲିଛି ବୋଲି ପ୍ରଶ୍ନ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ଅପରାଧିକ କାର୍ଯ୍ୟକଳାପ ପାଇଁ ଅପରାଧୀମାନଙ୍କୁ କିଏ ସାହସ ଯୋଗାଉଛି? ବର୍ତ୍ତମାନର ସରକାରୀ ବ୍ୟବସ୍ଥାରେ କେବଳ ଜନପ୍ରତିନିଧିମାନେ ନୁହଁନ୍ତି, ବରଂ ସାଧାରଣ ନାଗରିକମାନେ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଧର୍ମଶାଳା ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ସରକାର କାହିଁକି କୌଣସି ଦୃଢ଼ କାର୍ାନାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ଜନସାଧାରଣ ଏସବୁ ପରିସ୍ଥିତିକୁ ନିକଟରୁ ଲକ୍ଷ୍ୟ କରୁଛନ୍ତି ଏବଂ ଏହି ଅରାଜକତା ତଥା କୁଶାସନର ଉଚିତ୍ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଛନ୍ତି।