ଭୁବନେଶ୍ୱର: ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ନାଁରେ ଭୋଟର ତାଲିକାରୁ ବ୍ୟାପକ ଭାବେ ନାଁ ବାଦ୍ ଦିଆଯିବା ଅଭିଯୋଗକୁ ନେଇ ଆଜି ଦିଲ୍ଲୀରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହେଉଛି। ଏହି ପଦଯାତ୍ରାରେ ବିଜୁ ଜନତା ଦଳ ମଧ୍ୟ ସାମିଲ ହୋଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂସଦମାନେ ଇଣ୍ଡିଆ ବ୍ଲକର ଏହି ପ୍ରତିବାଦରେ ଭାଗ ନେଇଛନ୍ତି।
ମୁଖ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ କ୍ଷୋଭ: ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ କହିଛନ୍ତି ଯେ, SIR ପ୍ରକ୍ରିୟାରେ ବିବାଦୀୟ ଭୂମିକା ପାଇଁ ଦଳ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିସାରିଛି। SIR ମାଧ୍ୟମରେ କେବଳ ଓଡ଼ିଶାରେ ୨୦ ଲକ୍ଷରୁ ଅଧିକ ଏବଂ ସମଗ୍ର ଦେଶରେ ୧୩ କୋଟିରୁ ଅଧିକ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ହୋଇଛି।
ବିଜେଡିର ସମଦୂରତା ନୀତି ଏବଂ ଆଭିମୁଖ୍ୟ: ବିଜେଡି ସର୍ବଦା ଉଭୟ ଇଣ୍ଡିଆ ବ୍ଲକ୍ ଏବଂ ଏନ୍ଡିଏ ଠାରୁ ସମଦୂରତା ବଜାୟ ରଖିଆସିଛି। କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ୱଚ୍ଛତା ଏବଂ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ରକ୍ଷା କରିବା ପାଇଁ ଏକ ଦାୟିତ୍ୱବାନ ଦଳ ଭାବେ ସେମାନେ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଇଣ୍ଡିଆ ବ୍ଲକ୍ର ଏହି ପଦଯାତ୍ରାକୁ ଦୃଷ୍ଟିରେ ରଖି ସଂସଦ ଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।