ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏହାରି ଭତରେ ଶୃଙ୍ଖଳା ରକ୍ଷା ଏବଂ ସୁରକ୍ଷା ଦୃଷ୍ଟିକୋଣରୁ କେତେକ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଥିବା ଖବର ସାମ୍ନାକୁ ଆସିଛି। ବିଶେଷକରି ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କିଛି କଲେଜରେ ନିର୍ବାଚନ ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରିପୋଖରୀ ବ୍ଲକର ନାଆମୀ କଲେଜରେ ନିର୍ବାଚନ ବାତିଲ କରାଯାଇଛି। କଲେଜ ପରିସରରେ ଶାନ୍ତ ବାତାବରଣ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କଲେଜ କର୍ତ୍ତର୍ପକ୍ଷ ସ୍ପଷ୍ଟ କରିଛନ୍ତି।
ଗୁରୁବାର ଏବିଭିପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ଆଜି ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥିନୀମାନେ ନାମାଙ୍କନ ଭରିବାକୁ ଯାଇ କଲେଜ କାନ୍ଥରେ ନୋଟିସ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ନାଆମୀ କଲେଜରେ ମଧ୍ୟ ଛାତ୍ରଛାତ୍ରୀ ଗେଟ୍ ଆଗରେ ପ୍ରତିବାଦ କରିଛନ୍ତି।
ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କ୍ୟାମ୍ପସରେ ପ୍ରାକ୍-ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ବ୍ୟାସନଗର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କ ବାସଭବନ ଏବଂ ହଷ୍ଟେଲ ନିକଟରେ ବୋମା ଆକ୍ରମଣ ଘଟଣା ପରେ ତଥା କୋରେଇ କାହ୍ନୁଚରଣ ମହାବିଦ୍ୟାଳୟ ଏବଂ ମୁଗୁପାଳର ଶାରଦା ମହାବିଦ୍ୟାଳୟରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ବାତିଲ କରାଯାଇଛି।
ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀ ଏବଂ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର ଧରିଛି।