ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶାରଦୀୟ ନବରାତ୍ରୀ। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଦେଶ ତଥା ରାଜ୍ୟରେ ଏକ ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ନବରାତ୍ରୀର ପ୍ରଥମ ଦିନରେ ମାଆଙ୍କ ନଅଟି ରୂପ ମଧ୍ୟରୁ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜାର୍ଚ୍ଚନା କରାଯାଉଛି।
ମା’ ଶୈଳପୁତ୍ରୀଙ୍କ ପୌରାଣିକ କାହାଣୀ ଓ ମାହାତ୍ମ୍ୟ: ହିମାଳୟ (ଶୈଳ) ଗର୍ଭରେ ଜନ୍ମ ନେଇଥିବାରୁ ମା’ଙ୍କ ନାମ ‘ଶୈଳପୁତ୍ରୀ’ ହୋଇଛି। ବୃଷଭ ପିଠିରେ ବିରାଜିତ ଥିବାରୁ ମା’ଙ୍କୁ ‘ବୃଷାରୁଢା’ ମଧ୍ୟ କୁହାଯାଏ। ମା’ଙ୍କ ଡାହାଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ କମଳ ସୁଶୋଭିତ ହୋଇଥାଏ। ଧର୍ମଶାସ୍ତ୍ର ଅନୁଯାୟୀ, ଦୁର୍ଗାଦେବୀଙ୍କ ଏହି ପ୍ରଥମ ରୂପକୁ ମା’ ସତୀଙ୍କ ସହ ତୁଳନା କରାଯାଇଥାଏ।
ପୌରାଣିକ କଥାବସ୍ତୁ ଅନୁଯାୟୀ, ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା (ସତୀ) ଭାବେ ଜନ୍ମଗ୍ରହଣ କରିଥିବା ମାଆ, ଭଗବାନ ଶିବଙ୍କୁ ବିବାହ କରିଥିଲେ। ପିତାଙ୍କ ଯଜ୍ଞରେ ସ୍ୱାମୀଙ୍କ ଅପମାନ ସହ୍ୟ କରିନପାରି ସେ ଯଜ୍ଞାନଳରେ ନିଜକୁ ଆହୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପର୍ବତରାଜ ହିମାଳୟଙ୍କ ପୁତ୍ରୀ ‘ଶୈଳପୁତ୍ରୀ’ ରୂପେ ପୁନର୍ଜନ୍ମ ଲାଭ କରିଥିଲେ। ପରେ ସେ ‘ପାର୍ବତୀ’ ଏବଂ ‘ହେମବତୀ’ ନାଁରେ ମଧ୍ୟ ବିଶ୍ୱବିଖ୍ୟାତ ହୋଇଥିଲେ।