ଭୁବନେଶ୍ୱର: ଶାରଦୀୟ ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ମା’ ବ୍ରହ୍ମଚାରିଣୀଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଉଛି। ମା’ଙ୍କ ଏହି ରୂପକୁ ତପ, ତ୍ୟାଗ, ସଂଯମ ଏବଂ ଦୃଢ଼ ସଙ୍କଳ୍ପର ପ୍ରତୀକ ଭାବେ ବିବେଚନା କରାଯାଏ।
ପୌରାଣିକ ମାନ୍ୟତା ଅନୁଯାୟୀ, ମା’ ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମାତା ମୈନାଙ୍କ ପୁତ୍ରୀ। ପୂର୍ବଜନ୍ମରେ ମାତା ସତୀ ଭାବେ ଭଗବାନ ଶିବଙ୍କ ପତ୍ନୀ ଥିଲେ ମଧ୍ୟ ପିତାଙ୍କ ଯଜ୍ଞରେ ଅପମାନ ସହ୍ୟ କରିନପାରି ସେ ପ୍ରାଣତ୍ୟାଗ କରିଥିଲେ। ପରବର୍ତ୍ତୀ ସମୟରେ ସେ ହିମାଳୟଙ୍କ ଘରେ ପାର୍ବତୀ ରୂପେ ଜନ୍ମ ନେଇଥିଲେ ଏବଂ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ଅତ୍ୟନ୍ତ କଠୋର ତପସ୍ୟା କରିଥିଲେ।
ଦେବର୍ଷି ନାରଦଙ୍କ ମାର୍ଗଦର୍ଶନରେ ମାତା ପାର୍ବତୀ ସାଂସାରିକ ସୁଖ-ସୁବିଧା ତ୍ୟାଗ କରି ଘଞ୍ଚ ଜଙ୍ଗଲରେ କଠୋର ସାଧନାରେ ଲୀନ ହୋଇଥିଲେ। ହଜାର ହଜାର ବର୍ଷ ଧରି ବିନା ଜଳ ଓ ଆହାରରେ କଠୋର ତପସ୍ୟା କରିବା କାରଣରୁ ତାଙ୍କୁ ‘ଅପର୍ଣା’ ନାମରେ ମଧ୍ୟ ଜଣାଯାଏ। ଶେଷରେ ତାଙ୍କର ଏହି ଅଟଳ ସଂକଳ୍ପରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିଥିଲେ।
ମା’ ବ୍ରହ୍ମଚାରିଣୀଙ୍କ ଗୋଟିଏ ହାତରେ ଜପ ମାଳା ଏବଂ ଅନ୍ୟ ହାତରେ କମଣ୍ଡଳୁ ରହିଛି, ଯାହା ଭକ୍ତଙ୍କୁ ସଂଯମ, ଆତ୍ମବଳ ଏବଂ ଧୈର୍ଯ୍ୟର ଶିକ୍ଷା ଦେଇଥାଏ। ନବରାତ୍ରୀର ଏହି ପବିତ୍ର ଦିନରେ ମା’ଙ୍କ ଆରାଧନା କଲେ ଜୀବନର ସମସ୍ତ କଷ୍ଟ ଦୂର ହେବା ସହିତ ଆତ୍ମବଳ ବୃଦ୍ଧି ପାଇଥାଏ।