ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦିନ ସ୍ଥିର ହୋଇଛି। ଧନୁଯାତ୍ରା ମହୋତ୍ସବ ସମିତିର ପରାମର୍ଶଦାତା ଓ କାର୍ଯ୍ୟକାରୀ କମିଟିର ମିଳିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜାନୁଆରୀ ୧୨ ରୁ ଜାନୁଆରୀ ୨୨, ୨୦୨୭ ପର୍ଯ୍ୟନ୍ତ ଏହି ମହାସମାରୋହ ଅନୁଷ୍ଠିତ ହେବ।
ବରଗଡ଼ ଜିଲ୍ଲାପାଳ ତଥା ସମିତିର ଅଧ୍ୟକ୍ଷ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ସମୀକ୍ଷା କରାଯିବା ସହ ଆଗାମୀ ୭୮ତମ ଧନୁଯାତ୍ରା ପାଇଁ ପ୍ରସ୍ତୁତି ସମ୍ପର୍କରେ ବ୍ୟାପକ ଆଲୋଚନା କରାଯାଇଛି।
କଂସ ମହାରାଜ ଚୟନ ଓ ଆର୍ଥିକ ସ୍ଥିତି: ବୈଠକର ନିଷ୍ପତ୍ତି ଅନୁଯାୟୀ, ମହାରାଜ କଂସ ଭୂମିକାରେ ଅଭିନୟ କରିବାକୁଥିବା କଳାକାର ଚୟନ ପ୍ରକ୍ରିୟା ଆସନ୍ତା ୧୫ ଦିନ ଭିତରେ ସମ୍ପୂର୍ଣ୍ଣ କରାଯିବ। ସମ୍ପୂର୍ଣ୍ଣ ସ୍ୱଚ୍ଛ, ଯୁକ୍ତିଯୁକ୍ତ ଏବଂ ସାଂସ୍କୃତିକ ମାନଦଣ୍ଡ ଅନୁଯାୟୀ ଏହି ଚୟନ କରାଯିବ।
ହିସାବ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମିତି ପାଖରେ ୨,୧୩,୩୧,୨୩୯ ଟଙ୍କା ବଳକା ଥିବାବେଳେ ୨୦୨୫-୨୬ ମସିହାରେ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି।
ମୁକ୍ତାକାଶ ରଙ୍ଗମଞ୍ଚର ଆକର୍ଷଣ: ପ୍ରତିବର୍ଷ ପରି ଏଥର ମଧ୍ୟ ଧନୁଯାତ୍ରା ସମୟରେ ସମଗ୍ର ବରଗଡ଼ ସହର ଏକ ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚରେ ପରିଣତ ହେବ। ଏଥିରେ ବରଗଡ଼ ‘ମଥୁରା’ ଏବଂ ନିକଟସ୍ଥ ଅମ୍ବାପାଲି ‘ଗୋପପୁର’ ଭାବେ ରୂପାନ୍ତରିତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ପ୍ରଦର୍ଶନ କରାଯିବ।
ଏହି ବୈଠକରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ ସାରଙ୍ଗୀ, ଆଟବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଏସ୍ପି ରବି ନାରାୟଣ ସତପଥିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କମିଟିର କର୍ମକର୍ତ୍ତାମାନେପ୍ରମୁଖ ଉପସ୍ଥିତ ଥିଲେ।