ଜୟପୁର: ଆକାଶମାର୍ଗରେ ହାଇଜାକ୍ର ସଙ୍କେତ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏୟାର ଇଣ୍ଡିଆର ‘AI-2030’ ବିମାନର ପାଇଲଟ୍ ଆପାତକାଳୀନ ‘ହାଇଜାକ୍’ ସଙ୍କେତ (Squawk 7500) ପଠାଇବା ପରେ ବିମାନଟିକୁ ଜରୁରୀକାଳୀନ ଭାବେ ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ସକାଳ ୯ଟା ୩୫ ମିନିଟ୍ରେ ବିମାନଟି ଜୟପୁରରେ ସୁରକ୍ଷିତ ଭାବେ ଅବତରଣ କରିବା ପରେ ତୁରନ୍ତ ତାହାକୁ ‘ଆଇସୋଲେସନ୍ ବେ’କୁ ନିଆଯାଇ କଡ଼ା ସୁରକ୍ଷା ଯାଞ୍ଚ କରାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଅହମ୍ମଦାବାଦ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) କୁ ବିମାନରୁ କିଛି ସେକେଣ୍ଡ୍ ପାଇଁ ଏକ ଆପାତକାଳୀନ ସଙ୍କେତ ମିଳିଥିଲା। ପାଇଲଟ୍ ବିମାନରୁ ‘Squawk 7500’ କୋଡ୍ ସେଟ୍ କରିଥିଲେ, ଯାହା ବିମାନ ହାଇଜାକ୍ କିମ୍ବା ବେଆଇନ ଅନୁପ୍ରବେଶ ସମୟରେ ବିନା କଥା ହୋଇ ସ୍ୱତନ୍ତ୍ର ଭାବେ ସୁରକ୍ଷା ଏଜେନ୍ସିକୁ ଜଣାଇବା ପାଇଁ ବ୍ୟବହୃତ ହୋଇଥାଏ।
ଏହି ଗୁରୁତର ସଙ୍କେତ ମିଳିବା ପରେ ଦିଲ୍ଲୀ ଏୟାରପୋର୍ଟ୍ ୱାର୍ ରୁମ୍ ପକ୍ଷରୁ ସକାଳ ୯ଟା ୧୦ ରେ ବିମାନକୁ ଜୟପୁର ଆଡ଼କୁ ମୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୯ଟା ୪୫ ସୁଦ୍ଧା ବିମାନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଆଇସୋଲେସନ୍ ବେ’ରେ ରଖାଯାଇ ସୁରକ୍ଷାକର୍ମୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ତଦନ୍ତ ଆରମ୍ଭ କରାଯାଇଥିଲା।
ପ୍ରାଥମିକ ସୁରକ୍ଷା ଯାଞ୍ଚ ଏବଂ ବୈଷୟିକ ପରୀକ୍ଷା ପରେ ବିମାନର ସମସ୍ତ କାର୍ଯ୍ୟପ୍ରଣାଳୀ ସାଧାରଣ ଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ କୋକପିଟ୍ରୁ ‘Squawk 7500’ କୋଡ୍ ସକ୍ରିୟ ହେଲା, ସେ ନେଇ ବିମାନ ଚଳାଚଳ ପ୍ରାଧିକରଣ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ସଘନ ତଦନ୍ତ ଜାରି ରହିଛି। ବିମାନର ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ସୁରକ୍ଷା ଦଳକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।