ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରିତ ହେବାରେ ଲାଗିଥିଲେ ହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ତଥା ବିଜୁଳି, ଘଡ଼ଘଡ଼ି ଏବଂ ଝଡ଼ବର୍ଷାର ଆଶଙ୍କା ଲାଗିରହିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ପାଣିପାଗ ଅସ୍ଥିର ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।
ୟେଲୋ ୱାର୍ଣ୍ଣିଂ ଜାରି: ପାଣିପାଗ ବିଭାଗ ପକ୍ଷରୁ ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି, ବିଜୁଳି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାସହିତ ଆଗାମୀ ଦିନଗୁଡ଼ିକରେ କେତେକ ସ୍ଥାନରେ ମୃଦୁରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନ, ଗଛ ମୂଳ କିମ୍ବା ବାହାରେ ନରହି ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
୧୦ ଜିଲ୍ଲାରୁ ସମ୍ପୂର୍ଣ୍ଣ ମୌସୁମୀ ବିଦାୟ: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ରାଜ୍ୟର ୧୦ଟି ଜିଲ୍ଲାରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ଅପସାରିତ ହୋଇସାରିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି—ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର।
ଏହା ବ୍ୟତୀତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳର ଅଧିକାଂଶ ଭାଗ ଏବଂ ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିର କେତେକ ପାର୍ଶ୍ୱରୁ ମଧ୍ୟ ମୌସୁମୀ ବିଦାୟ ନେଇଛି। ତେବେ ମୌସୁମୀ ପ୍ରତ୍ୟାହାର କାର୍ଯ୍ୟପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ କେତେକ ପକେଟ୍ରେ ବର୍ଷା ଏବଂ ବିଜୁଳି-ଘଡ଼ଘଡ଼ି ଜାରି ରହିବ।