ଭୁବନେଶ୍ୱର: ଓଡ଼ିଶାର ନୂତନ ଭାବେ ମନୋନୀତ ରାଜ୍ୟପାଳ ବ୍ରଜ ମୋହନ ରାମ ଓଡ଼ିଶାରେ ପହଞ୍ଚିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୮ ତାରିଖ ପୂର୍ବାହ୍ନ ୧୧:୦୦ ଟା ସମୟରେ ଭୁବନେଶ୍ୱରସ୍ଥିତ ଲୋକଭବନର ନବନିର୍ମିତ ଅଭିଷେକ ହଲ୍ରେ ସେ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟପାଳ-ନିଯୁକ୍ତ ବ୍ରଜ ମୋହନ ରାମ ରାଞ୍ଚିର ବିର୍ଷା ମୁଣ୍ଡା ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନରେ ବାହାରି ଦ୍ୱିପ୍ରହର ୧୨:୩୦ ସମୟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ଏକ ଭବ୍ଯ ସ୍ୱାଗତ ସମ୍ବର୍ଦ୍ଧନା ସହ ‘ଗାର୍ଡ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବେ।
ଏହାପରେ ସେ ପରିବାରବର୍ଗଙ୍କ ସହ ସଡ଼କ ପଥରେ ପୁରୀ ଗସ୍ତ କରିବେ ଏବଂ ଅପରାହ୍ନ ୨:୪୦ ଟା ସମୟରେ ପୁରୀ ଲୋକଭବନରେ ପହଞ୍ଚି ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବେ। ସନ୍ଧ୍ୟା ୫:୩୦ ଟା ସମୟରେ ସେ ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ଷାଦ ଭିକ୍ଷା କରିବେ। ସେଠାରୁ ଫେରି ସେ ସନ୍ଧ୍ୟା ୭:୨୫ ଟା ସମୟରେ ଭୁବନେଶ୍ୱର ଲୋକଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁଥିବା ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।