ଇସଲାମାବାଦ: ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ଏକ ପ୍ରାଚୀନ ହିନ୍ଦୁ ଐତିହ୍ୟ ଉପରେ କବଜା ଉଦ୍ୟମକୁ ନେଇ ଗମ୍ଭୀର ବିବାଦ ସୃଷ୍ଟି ହୋଇଛି। ପ୍ରଦେଶର ଡେରା ଇସମାଇଲ୍ ଖାନ୍ସ୍ଥିତ ରହିମ୍ ବଜାର ଅଞ୍ଚଳରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ଐତିହାସିକ ରାମଲୀଳା ମନ୍ଦିରର କିଛି ଅଂଶକୁ ଭାଙ୍ଗି ଏକ କମର୍ସିଆଲ୍ ପ୍ଲାଜା ନିର୍ମାଣ ପାଇଁ ଉଦ୍ୟମ କରାଯାଉଥିବା ନେଇ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟ ଏବଂ ନାଗରିକ ସଂଗଠନ ଅଭିଯୋଗ କରିଛନ୍ତି।
ମନ୍ଦିର ଭଙ୍ଗାଯାଉଥିବା ସୂଚନା ମିଳିବା ପରେ ‘ଡେରା ସିଭିଲ୍ ସୋସାଇଟି’ ଏବଂ ସ୍ଥାନୀୟ ବ୍ୟବସାୟୀ ସଂଘର ସଭାପତି ସୋହେଲ୍ ଅହମ୍ମଦ ଆଜମୀଙ୍କ ସମେତ ଅନେକ ନାଗରିକ ଓ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ସେମାନଙ୍କର ତୀବ୍ର ବିରୋଧ ପରେ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରି ମନ୍ଦିର ପ୍ରାଙ୍ଗଣକୁ ନିଜ ନିୟନ୍ତ୍ରଣକୁ ନେଇଛି। ପାକିସ୍ତାନର ‘ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ’ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସମ୍ପୂର୍ଣ୍ଣ ମନ୍ଦିର ପରିସରକୁ ସିଲ୍ କରିଦେଇଛି।
ଏହି ରାମଲୀଳା ମନ୍ଦିରଟି ଡେରା ଇସମାଇଲ୍ ଖାନ୍ର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ଅଟେ। ହିନ୍ଦୁ ଅଧିକାର ସଂଗଠନଗୁଡ଼ିକ ମନ୍ଦିର ଜମିର ମାଲିକାନା ଏବଂ ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ଯାଞ୍ଚ ଦାବି କରିଛନ୍ତି। ଏହାସହ ପାକିସ୍ତାନରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳଗୁଡ଼ିକର ସୁରକ୍ଷା ଏବଂ ଜବରଦଖଲ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି ଜଣାଇଛନ୍ତି।