ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍ ଙ୍କ ବାସଭୂବନ ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ମୁମ୍ବାଇ ପୋଲିସ ଏକାଧିକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି। ଏହି ମାମଲାରେ ଗିରଫ ହୋଇଥିବା ସୁଟରମାନେ କେବଳ ଟାଇଗର୍ ନୁହେଁ, ବରଂ ବଲିଉଡ଼ର ଅନ୍ୟତମ ପ୍ରମୁଖ ତାରକା ଯଥା ସଲମାନ ଖାନ, ଆମୀର ଖାନ ଏବଂ ରଣବୀର ସିଂହଙ୍କ ବାସଭୂବନ ଆଖପାଖରେ ମଧ୍ୟ ଏକ ମାସ ଧରି ରେକି କରିଥିଲେ।
ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ, ଗିରଫ ହୋଇଥିବା ତିନିଜଣ ସୁଟର ପ୍ରାୟ ଏକ ମାସ ଧରି ମୁମ୍ବାଇରେ ରହି ଏହି ସମସ୍ତ ଅଭିନେତାଙ୍କ ବାସଭୂବନର ସ୍ଥିତି ଯାଞ୍ଚ କରିଥିଲେ। ତେବେ ଏହି ଅଭିନେତାମାନେ ସେମାନଙ୍କର ପ୍ରକୃତ ଟାର୍ଗେଟ୍ ଥିଲେ କିମ୍ବା ସେମାନେ କୌତୂହଳବଶତଃ ସେହି ସ୍ଥାନକୁ ଯାଇଥିଲେ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ପୂର୍ବରୁ ଏହି ଅଭିନେତାମାନଙ୍କୁ ବିଭିନ୍ନ ସମୟରେ ଧମକ ମିଳିଥିବାରୁ ସେମାନଙ୍କ ବାସଭୂବନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ମୁମ୍ବାଇ କ୍ରାଇମବ୍ରାଞ୍ଚ ଡିସିପି ରାଜ ତିଲକ ରୌଶନଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ବର୍ତ୍ତମାନସୁଦ୍ଧା ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି। ସୁଟର ରେହାନ (ଉର୍ଫ ସୁକ୍କା), ଋତିକ କୁର୍ମୀ ଏବଂ ଫୁଲ୍ ସିଂହଙ୍କୁ କୋଟାରୁ ଗିରଫ କରାଯାଇ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ କଷ୍ଟୋଡ଼ିକୁ ପଠାଯାଇଛି।
ଅପରାଧୀମାନେ ଅମୃତସରରୁ ‘ଡେଡ୍ ଡ୍ରପ୍’ ପଦ୍ଧତିରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ଦିଲ୍ଲୀ ଓ ମୁମ୍ବାଇକୁ ଚାଲାଣ କରିଥିଲେ। ଅଙ୍କିତ (ଉର୍ଫ ରାଜେଶ ଖାଟକ) ସୁଟରମାନଙ୍କୁ ମୁମ୍ବାଇରେ ଲୋକେସନ୍ ଦେଖାଇବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଥିବା ଜଣାପଡ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଏହି ଲିଙ୍କ୍ ପଛରେ ରହିଥିବା ସନ୍ଦେହ କରାଯାଉଛି।