ନୂଆଦିଲ୍ଲୀ: ଦଶହରା ଉତ୍ସବ ପରେ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ଥିତି ପୁଣି ଥରେ ଗମ୍ଭୀର ହେବାକୁ ଲାଗିଛି। ବୁଧବାର ସକାଳେ ସହରସାରା କୁହୁଡ଼ି ଓ ଧୂଆଁର ଆସ୍ତରଣ ଛାଇ ରହିବା ସହ ଦୃଶ୍ୟମାନତା ହ୍ରାସ ପାଇଛି। ‘ଏୟାର କ୍ୱାଲିଟି ଅର୍ଲି ୱାର୍ନିଂ ସିଷ୍ଟମ୍’ର ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ‘ଖରାପ’ ଶ୍ରେଣୀରେ ପ୍ରବେଶ କରିଛି ଏବଂ ଆସନ୍ତା ଅକ୍ଟୋବର ୨୩ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ।
ସେଣ୍ଟ୍ରାଲ୍ ପୋଲ୍ୟୁସନ୍ କଣ୍ଟ୍ରୋଲ୍ ବୋର୍ଡ ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀର AQI ୧୭୯ (‘ମଧ୍ୟମ’ ଶ୍ରେଣୀ) ରହିଥିବା ବେଳେ ବୁଧବାରଠାରୁ ଏହା ‘ଖରାପ’ ଶ୍ରେଣୀକୁ ସ୍ଲିପ୍ କରିଛି। ଆଗାମୀ ଶୀତ ଦିନ ଆସୁଥିବାରୁ ଏବଂ ଶୁଖିଲା ପାଗ ଯୋଗୁଁ ବାୟୁ ପ୍ରଦୂଷଣ ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ବ୍ୟତୀତ ପଡ଼ୋଶୀ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ନଡ଼ା ଜାଳିବା ଘଟଣା ମଧ୍ୟ ବାୟୁ ଗୁଣବତ୍ତା ହ୍ରାସର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି।
ଆଗାମୀ ଶୀତଦିନିଆ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ପକ୍ଷରୁ ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବିଶେଷ କଟକଣା ଘୋଷଣା କରାଯାଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଗାଡ଼ିଗୁଡ଼ିକୁ ପେଟ୍ରୋଲ୍ ପମ୍ପରେ ତେଲ ଦିଆଯିବ ନାହିଁ। ANPR କ୍ୟାମେରା ମାଧ୍ୟମରେ ଏହାର କଡ଼ା ନଜର ରଖାଯିବ।
ନଭେମ୍ବର ୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରର BS-VI ମାନକ ପୂରଣ କରୁନଥିବା ଗାଡ଼ି ପ୍ରବେଶ ଉପରେ କଟକଣା ଲଗାଯିବ (ସିଏନ୍ଜି ଓ ଇଲେକ୍ଟ୍ରିକ୍ ଯାନକୁ ଛାଡ଼ି)।
ନଭେମ୍ବର ୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଧୂଳି ସୃଷ୍ଟି କରୁଥିବା ନିର୍ମାଣ ଓ ଭଙ୍ଗାରୁଜା କାର୍ଯ୍ୟ ବନ୍ଦ ରହିବ। ସେହିପରି ଡିସେମ୍ବର ୧୦ ରୁ ଜାନୁଆରୀ ୨୦ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲାଗୁ ହେବ। ଯାନବାହନ ଚଳାଚଳ କମାଇବା ପାଇଁ ଅଫିସ୍ଗୁଡ଼ିକରେ ୫୦ ପ୍ରତିଶତ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି।