ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆଜି ଏହା ଗଭୀର ଅବପାତରେ ପରିଣତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏହି ସକ୍ରିୟ ପାଣିପାଗ ପ୍ରଣାଳୀ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ, ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ବିଶାଖାପାଟଣା ରୁ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବର୍ଷା ଓ ପବନର ଚେତାବନୀ: ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ କେତେକ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ।
ବିଶେଷ ପ୍ରଭାବିତ ଜିଲ୍ଲା: ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ରହିବ। ଏହାସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଜାରି ରହିବ। ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇବା ସହ ସମୁଦ୍ର ବେଶ୍ ଅଶାନ୍ତ ରହିବ।
ସମ୍ଭାବ୍ୟ ବିପଦ ଓ ସୁରକ୍ଷା ପଦକ୍ଷେପ: ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବା, ତଳିଆ ଅଞ୍ଚଳ ଜଳମଗ୍ନ ହେବା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି।
ତେବେ ବର୍ତ୍ତମାନର IMD ଆକଳନ ଅନୁଯାୟୀ, ଏହି ପ୍ରଣାଳୀ ବାତ୍ୟାର ରୂପ ନନେଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଅତିକ୍ରମ କରିବ।