ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ରାଜ୍ୟବାସୀଙ୍କ ମନରେ ଥିବା ବାତ୍ୟା ଭୟ ଏବେ ଦୂର ହୋଇଛି। ଏହା ବାତ୍ୟାର ରୂପ ନନେଇ ଗଭୀର ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି। ତେବେ ଏହାର ପ୍ରଭାବରେ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ।
ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରୁ ସମୁଦ୍ରକୂଳିଆ ଅଞ୍ଚଳରେ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ବହିବ। ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ପୁରୀରୁ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। କେତେକ ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଏବଂ ସହରାଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ଏସଆରସି (SRC) ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯାଇଛି।
ଡ୍ୟାମ୍ ଜଳ ପରିଚାଳନା: ଇନ୍ଦ୍ରାବତୀ ଏବଂ ତେଲିଙ୍ଗିରି ଡ୍ୟାମର ଜଳଧାରଣ କ୍ଷମତାକୁ ସମୀକ୍ଷା କରି ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳା ଓ କୋଲାବ ଡ୍ୟାମରେ ବର୍ତ୍ତମାନ ଚିନ୍ତାଜନକ ଜଳସ୍ତର ନାହିଁ। ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ରୋକିବା ପାଇଁ ଜଳ ନିଷ୍କାସନ ମେସିନ୍/ପମ୍ପ ପ୍ରସ୍ତୁତ ରଖାଯାଇଛି। ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଏବଂ ଆଇନଶୃଙ୍ଖଳା ଏଡିଜି ପ୍ରମୁଖ ଉପସ୍ଥିତ ଥିଲେ।