ନୂଆଦିଲ୍ଲୀ: କର୍କଟ ରୋଗ ଚିକିତ୍ସାକୁ ଅଧିକ ସୁଲଭ ଏବଂ ସାଧାରଣ ଲୋକଙ୍କ ନିକଟତର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଅଣ-ତାଲିକାଭୁକ୍ତ କର୍କଟ ଔଷଧଗୁଡ଼ିକର ମୂଲ୍ୟ ଉପରେ ନିୟନ୍ତ୍ରଣ ବଢ଼ାଇବାକୁ ସ୍ଥିର କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଏହି ଔଷଧଗୁଡ଼ିକର ବିକ୍ରି ଏବଂ ଯୋଗାଣରେ ଟ୍ରେଡ୍ ମାର୍ଜିନ୍ କୁ ସର୍ବାଧିକ ଖୁଚୁରା ମୂଲ୍ୟ ର ୩୦% ପର୍ଯ୍ୟନ୍ତ ସୀମିତ କରାଯିବ।
ସରକାରଙ୍କ ଆକଳନ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା କିଛି ଔଷଧର ଦର ୭୦% ପର୍ଯ୍ୟନ୍ତ କମିଯିବ ଏବଂ ଦେଶର କର୍କଟ ରୋଗୀମାନେ ବାର୍ଷିକ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ।
ରସାୟନ ଏବଂ ସାର ମନ୍ତ୍ରାଳୟର ଫାର୍ମାସ୍ୟୁଟିକାଲ୍ସ ବିଭାଗ ଅଧୀନରେ ଥିବା ‘ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି’ର ବଜାର ବିଶ୍ଳେଷଣରୁ ଜଣାପଡିଛି ଯେ ଅଣ-ତାଲିକାଭୁକ୍ତ କର୍କଟ ଔଷଧଗୁଡ଼ିକରେ ହାରାହାରି ପ୍ରାୟ ୧୭୦% ରୁ ଅଧିକ (କେତେକ କ୍ଷେତ୍ରରେ ୭୦0% ରୁ ଅଧିକ) ମାର୍କଅପ୍ ରହିଥାଏ। ଅର୍ଥାତ୍ ଉତ୍ପାଦନ ଖର୍ଚ୍ଚ ଏବଂ ରୋଗୀଙ୍କ ପାଖରେ ପହଞ୍ଚିବା ମୂଲ୍ୟ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ରହିଥାଏ।
ଖୁଚୁରା ମେଡିକାଲ୍ ଷ୍ଟୋର୍, ହସ୍ପିଟାଲ୍ ଫାର୍ମାସୀ ଏବଂ ଅନଲାଇନ୍ ଫାର୍ମାସୀ ମାଧ୍ୟମରେ କିଣାଯାଉଥିବା ଔଷଧ ଦରର ଏହି ଅହେତୁକ ବୃଦ୍ଧିକୁ ରୋକିବା ପାଇଁ ଏହି ନୂତନ ନିୟମ ଅଣାଯାଇଛି।
ଏହି ନିୟମ ସେହି ସମସ୍ତ ଅଣ-ତାଲିକାଭୁକ୍ତ କର୍କଟ ଔଷଧ ଉପରେ ପ୍ରଯୁଜ୍ୟ ହେବ, ଯାହା ସରକାରଙ୍କ ସ୍ଥିରୀକୃତ ମୂଲ୍ୟ ସୀମା ତାଲିକାରେ ନାହିଁ। ଏହାର ପରିସରରେ ବ୍ରାଣ୍ଡେଡ୍ ଏବଂ ଜେନେରିକ୍, ଦେଶରେ ପ୍ରସ୍ତୁତ ତଥା ଆମଦାନୀ ହୋଇଥିବା, ପେଟେଣ୍ଟ୍ ଥିବା ଏବଂ ନଥିବା ସମସ୍ତ ଔଷଧ ସାମିଲ ରହିବ। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଧୀନରେ ଗଠିତ ଏକ୍ସପର୍ଟ କମିଟି ନିର୍ଦ୍ଦିଷ୍ଟ ଔଷଧଗୁଡ଼ିକର ତାଲିକା ଚୂଡ଼ାନ୍ତ କରିବ।
କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ଖର୍ଚ୍ଚ ସାଧାରଣ ପରିବାର ପାଇଁ ଏକ ବଡ଼ ଆର୍ଥିକ ସଙ୍କଟ ସୃଷ୍ଟି କରିଥାଏ। ଏଭଳି ସ୍ଥିତିରେ ସରକାରଙ୍କ ଏହି ପଦକ୍ଷେପ କର୍କଟ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ବଡ଼ଧରଣର ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।