ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଆଉ ଏକ ବଡ଼ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଯଦି ସିଇଓ ଜ୍ଞାନେଶ କୁମାର ନିଜ ପଦରୁ ଇସ୍ତଫା ନଦିଅନ୍ତି, ତେବେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ପୁଣିଥରେ ବିଶାଳ ପ୍ରତିବାଦ କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ଶିବାଜୀ ପାର୍କରେ ହଜାର ହଜାର ଲୋକଙ୍କ ଏକତ୍ରୀକରଣ ଏବଂ ପ୍ରତିବାଦ ପରେ CJP ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି CJP ପକ୍ଷରୁ ଏହି ଦାବି କରାଯାଇଛି।
ଅଭିଜିତ୍ ଦିପକେ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଦେଖାଯାଇଥିବା ଅହିଂସା ମାର୍ଗରେ ଏହି ପ୍ରତିବାଦ କରାଯିବ। ତେବେ ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ ପୋଲିସ ଦମନଲୀଳା ବା ‘ବ୍ରୁଟାଲିଟି’ ଯେପରି ଦେଖିବାକୁ ମିଳିଥିଲା, ସେଭଳି ପୁନରାବୃତ୍ତି ନକରିବାକୁ ସେ ସରକାର ଓ ଦିଲ୍ଲୀ ପୋଲିସକୁ ଚେତାବନୀ ଦେଇଛନ୍ତି। ମୁମ୍ବାଇ ପ୍ରତିବାଦରେ ଶାବାନା ଆଜମୀ, ନାସିରୁଦ୍ଧିନ ଶାହା ଏବଂ ବିଶାଲ ଦାଦଲାନୀଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ମଧ୍ୟ ସାମିଲ ହୋଇଥିଲେ।