ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲ ଯାଉଥିବା ‘ଫ୍ଲାଏ ଦୁବାଇ’ ର ଏକ ବିମାନରେ ଏକ ବଡ଼ଧରଣର ଅଘଟଣ ଟଳିଯାଇଛି। ବିମାନଟି ଆକାଶରେ ଉଡ଼ାଣ ଭରିଥିବା ସମୟରେ କକପିଟ୍ ଭିତରେ କୋ-ପାଇଲଟଙ୍କ ଆକ୍ରମଣର ଶିକାର ହୋଇଥିବା ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛର ତାଙ୍କର ଅନନ୍ୟ ସାହସିକତା ପ୍ରଦର୍ଶନ କରି ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି।
ଫ୍ଲାଏ ଦୁବାଇର ଫ୍ଲାଇଟ୍ ଏଫ୍ଜେଡ୍-୧୦୭୩ (FZ 1073) ୧୭୪ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବାବେଳେ କକପିଟ୍ ମଧ୍ୟରେ ଏକ ଭୟଙ୍କର ଗଣ୍ଡଗୋଳ ହୋଇଥିଲା। କୋ-ପାଇଲଟ୍ ଜଣକ ବିମାନକୁ କ୍ରାସ୍ କରିବାକୁ ବା ଧ୍ୱଂସ କରିବାକୁ ଉଦ୍ୟମ କରି କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କରିଥିଲେ।
ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ମଚ୍ଛର ବାହାଦୁରୀର ସହ ଲଢ଼ିବା ସହ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ, ଯାହାଫଳରେ ଅନ୍ୟ କର୍ମଚାରୀ ଓ ଯାତ୍ରୀମାନେ ଭିତରକୁ ପଶି ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ।
ଏହି କକପିଟ୍ ସଂଘର୍ଷ ସମୟରେ ବିମାନଟି ମାତ୍ର କିଛି ମିନିଟ୍ ମଧ୍ୟରେ ହଜାର ହଜାର ଫୁଟ୍ ତଳକୁ ଖସି ପଡ଼ିଥିଲା। ପରେ ବିମାନଟିକୁ ସୁରକ୍ଷିତ ଭାବେ ସାଉଦି ଆରବର ତବୁକ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏବଂ ବିଦେଶ ମନ୍ତ୍ରାଳୟ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଜଣେ ‘ହିରୋ’ ବୋଲି ଅଭିହିତ କରି ତାଙ୍କର ପ୍ରଶଂସା କରିଛନ୍ତି।