ଭୁବନେଶ୍ୱର: ତିନୋଟି ପ୍ରମୁଖ ଦାବିକୁ ନେଇ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଇଣ୍ଡିଆ ବ୍ଲକ ପକ୍ଷରୁ ସମଗ୍ର ରାଜ୍ୟରେ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବାର ଥିବାରୁ ରାଜ୍ୟର ସ୍ୱାଭାବିକ ଜନଜୀବନ, ବିଶେଷ କରି ସଡ଼କ ପରିବହନ, ବଜାର ଏବଂ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଜନଜୀବନ ବାଧାପ୍ରାପ୍ତ: ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିପାରନ୍ତି, ଯାହାଫଳରେ ଗାଡ଼ିମୋଟା ଚଳାଚଳ ବାଧାପ୍ରାପ୍ତ ହେବ। ବନ୍ଦ ପ୍ରଭାବରେ ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବାର ସମ୍ଭାବନା ରହିଛି।
ତେବେ କିଛି ରେଳଷ୍ଟେସନରେ ରେଳରୋକ ପ୍ରଦର୍ଶନ କରାଯାଇପାରେ, ଯାହା ଦ୍ୱାରା ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇପାରେ। ସାଧାରଣ ଜନତାଙ୍କୁ ଅସୁବିଧାରୁ ମୁକ୍ତ ରଖିବା ପାଇଁ ବନ୍ଦ ପରିସରରୁ ଜରୁରୀକାଳୀନ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି।
ଯେପରିକି ଆମ୍ବୁଲାନ୍ସ ଏବଂ ଡାକ୍ତରୀ ସେବା, ଦମକଳ ସେବା, ମେଡିସିନ୍ ଦୋକାନ ଓ ଫାର୍ମାସୀ, କ୍ଷୀର ପରିବହନ ଏବଂ ଅନ୍ୟାନ୍ୟ ଜରୁରୀ ସେବା ।
କାହିଁକି ଦିଆଯାଇଛି ବନ୍ଦ ଡାକରା: ଇଣ୍ଡିଆ ବ୍ଲକ ପକ୍ଷରୁ ମୁଖ୍ୟତଃ ନିମ୍ନଲିଖିତ ତିନୋଟି ଦାବି ହୋଇଛି:
MMDR ସଂଶୋଧନ ଆଇନ, 2026 (MMDR Amendment Act, 2026) ର ତୁରନ୍ତ ପ୍ରତ୍ୟାହାର।
ବିଦ୍ୟାଳୟ ପାଠ୍ୟପୁସ୍ତକରେ ଭୁଲ୍ ତ୍ରୁଟିକୁ ନେଇ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା।
ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ (SIR) ରେ ଅନିୟମିତତା ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫଦାରୀ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ।