ମୁମ୍ବାଇ: ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ଆନ୍ତର୍ଜାତୀୟ ବଜାରରେ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ଅନୁଷ୍ଠିତ ମୁଦ୍ରା ନୀତି କମିଟିର ବୈଠକରେ ରେପୋ ରେଟ୍ ରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ଏହାଫଳରେ ରେପୋ ରେଟ୍ ବୃଦ୍ଧି ପାଇ ୫.୫୦ ପ୍ରତିଶତକୁ ପହଞ୍ଚିଛି।
ବିଭିନ୍ନ ସୁଧ ହାରର ସ୍ଥିତି: ଏହି ବୃଦ୍ଧି ପରେ SDF ହାର ୫.୨୫ ପ୍ରତିଶତକୁ ଏବଂ ମର୍ଜିନାଲ୍ ଷ୍ଟାଣ୍ଡିଂ ଫେସିଲିଟି (MSF) ତଥା ବ୍ୟାଙ୍କ ରେଟ୍ ୫.୭୫ ପ୍ରତିଶତକୁ୍ ସଂଶୋଧନ କରାଯାଇଛି।
ସୁଧ ହାର ବୃଦ୍ଧିର କାରଣ: ତିନି ଦିନ ଧରି ଚାଲିଥିବା ଏହି ବୈଠକ ପରେ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବାରୁ ବିଶ୍ୱର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରା ନୀତିକୁ କଡ଼ାକଡ଼ି କରୁଛନ୍ତି।
ପଶ୍ଚିମ ଏସିଆ ସଙ୍କଟ କାରଣରୁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲପିଛା ୧୦୦ ଡଲାର ଅତିକ୍ରମ କରିବା ଏବଂ ଦେଶ ଭିତରେ ମୁଦ୍ରାସ୍ଫୀତି ବଢ଼ୁଥିବାରୁ ଆର୍ବିଆଇ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୪୫% ରୁ ବୃଦ୍ଧି ପାଇ ୪.୮୨% ରେ ପହଞ୍ଚିଥିଲା।
ଅର୍ଥନୀତିଜ୍ଞଙ୍କ ମତରେ, ଆଗାମୀ ଦିନରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆର୍ବିଆଇ ଆହୁରି କିଛି କଡ଼ା ପଦକ୍ଷେପ ନେଇପାରେ। ସୁଧ ହାର ବୃଦ୍ଧି ପାଇବାଫଳରେ ବ୍ୟାଙ୍କରୁ ନିଆଯାଉଥିବା ବିଭିନ୍ନ ଋଣ (ଯଥା: ଗୃହ ଋଣ, ଗାଡ଼ି ଋଣ) ଅଧିକ ମହଙ୍ଗା ହେବାର ସମ୍ଭାବନା ରହିଛି।