ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଜନ୍ତର ମନ୍ତର ଅଞ୍ଚଳକୁ ବିକ୍ଷୋଭ ଏବଂ ଧାରଣା ସ୍ଥଳ ଭାବେ ରଦ୍ଦ କରିବା ନିଷ୍ପତ୍ତିକୁ ସୁପ୍ରିମ୍ କୋର୍ଟରେ ଦୃଢ଼ ଭାବେ ଦୋହରାଇଛି ଦିଲ୍ଲୀ ପୋଲିସ। ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଶୀର୍ଷ ଅଦାଲତରେ ଏକ ଆଫିଡେଭିଟ୍ ଦାଖଲ କରି ସ୍ପଷ୍ଟ କରିଛନ୍ତି ଯେ, ଜନ୍ତର ମନ୍ତର ପ୍ରକୃତରେ କୌଣସି ନିର୍ଦ୍ଦିଷ୍ଟ ‘ବିକ୍ଷୋଭ ସ୍ଥଳ’ ନୁହେଁ, ବରଂ ଏହା ଏକ ସାଧାରଣ ରାସ୍ତା, ଯାହା ସାଧାରଣ ନାଗରିକଙ୍କ ଗମନାଗମନ ପାଇଁ ଉଦ୍ଦିଷ୍ଟ।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଜନ୍ତର ମନ୍ତରର କ୍ଷମତା ସର୍ବାଧିକ ୧,୫୦୦ ଜଣ ଲୋକଙ୍କୁ ଧାରଣ କରିବାର ରହିଛି। ମାତ୍ର ଅନେକ ସମୟରେ ଏଠାରେ ଅନିୟନ୍ତ୍ରିତ ଜନସମାଗମ ହେବା ଯୋଗୁଁ ଦଳାଚକଟାର ଭୟ ଏବଂ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇଥାଏ।
ଏହି ଅଞ୍ଚଳଟି ସଂସଦ ଭବନ, ଗୁରୁତ୍ୱପୂର୍ଣ୍ଣ ସରକାରୀ ଦପ୍ତର ଏବଂ ବିଦେଶୀ ଦୂତାବାସଗୁଡ଼ିକର ଅତି ନିକଟତର ହୋଇଥିବାରୁ ଏହା ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସଂବେଦନଶୀଳ।
ଆଫିଡେଭିଟ୍ରେ କୁହାଯାଇଛି ଯେ, ନାଗରିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି ସତ, ମାତ୍ର ତାହା ଅନ୍ୟ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର, ମୁକ୍ତ ଗମନାଗମନ ଏବଂ ଜୀବିକା ନିର୍ବାହରେ ବାଧା ସୃଷ୍ଟି କରିପାରିବ ନାହିଁ। ଜନ୍ତର ମନ୍ତରରେ ବାର୍ଷିକ ହାରାହାରି ୧,୩୦୦ ରୁ ଅଧିକ ଆନ୍ଦୋଳନ ହେଉଥିବାରୁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ସେବା ଭଳି ଜରୁରୀକାଳୀନ ପରିବହନ ବାଧାପ୍ରାପ୍ତ ହେଉଛି।
ଗତ ଅଗଷ୍ଟ ୧ ରୁ ଅଗଷ୍ଟ ୨୭, ୨୦୨୬ ମଧ୍ୟରେ ଏହି ସ୍ୱଳ୍ପ ପରିସର ମଧ୍ୟରୁ ପ୍ରାୟ ୨୫୦ଟି ଆପାତକାଳୀନ କଲ୍, ୧୦୯ଟି ଚୋରି ମାମଲା, ୨୩ଟି ସାଧାରଣ ଶାନ୍ତିଭଙ୍ଗ ଓ ଦଙ୍ଗା ମାମଲା ଏବଂ ୧୪ଟି ଜନସାଧାରଣଙ୍କୁ ହଇରାଣ କରିବା ମାମଲା ରେକର୍ଡ କରାଯାଇଛି।
ଗୃହ ମନ୍ତ୍ରଣାଳୟର କମିଟି ସୁପାରିଶ ଏବଂ ସୁରକ୍ଷା ସମୀକ୍ଷା ପରେ ଜନ୍ତର ମନ୍ତର ବଦଳରେ ୩ଟି ନୂତନ ସ୍ଥାନକୁ ବିକ୍ଷୋଭ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମତଃ ରାମଲୀଳା ମଇଦାନ, ବୁରାଡ଼ି ମଇଦାନ, ସିବିଡି ଗ୍ରାଉଣ୍ଡ ।
ଆଇନଜୀବୀ ସ୍ୱାତୀ ସିଂହଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାମଲା ଏବଂ ସମ୍ବିଧାନର ଧାରା ୧୯(୧)(କ) ଓ ୧୯(୧)(ଖ) ର ଉଲ୍ଲଂଘନ ଅଭିଯୋଗକୁ ପୋଲିସ ପ୍ରତ୍ୟାଖ୍ୟାନ କରିଛି। ଅପରପକ୍ଷରେ, ଅକ୍ଟୋବର ୧୦ ତାରିଖ ପ୍ରଦର୍ଶନ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କିମ୍ବା ଆଟକ କରାଯାଇନଥିଲା, ବରଂ BNSS ର ଧାରା ୧୬୩ ଉଲ୍ଲଂଘନ ହେତୁ ସୁରକ୍ଷିତ ଭାବେ ସେଠାରୁ ହଟାଇ ଦିଆଯାଇଥିଲା ବୋଲି ପୋଲିସ ସୁପ୍ରିମ୍ କୋର୍ଟଙ୍କୁ ଅବଗତ କରାଇଛି।