ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ପରିଖିବା ପାଇଁ ଆସନ୍ତା ନଭେମ୍ବର ୭ ତାରିଖରେ ଗସ୍ତ କରିବେ ବିରୋଧୀ ଦଳ ନେତା ଥତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ଗସ୍ତ କାଳରେ ସେ ଜିଲ୍ଲାର ୪ଟି ସର୍ବାଧିକ ପ୍ରଭାବିତ ବ୍ଲକ ଗସ୍ତ କରି ବନ୍ୟା ବିପନ୍ନ ପରିବାରଗୁଡ଼ିକୁ ଭେଟିବା ସହ କ୍ଷୟକ୍ଷତିର ଅନୁଧ୍ୟାନ କରିବେ।
ସୂଚନା ଅନୁଯାୟୀ, ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଆସିକା, ଶେରଗଡ଼ ଏବଂ ସୋରଡ଼ା ବ୍ଲକର ବିଭିନ୍ନ ବନ୍ୟାପ୍ଲାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଅଞ୍ଚଳଗୁଡ଼ିକ ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ।
ଗସ୍ତ ସମୟରେ ସେ ସ୍ଥାନୀୟ ପ୍ରଭାବିତ ଲୋକଙ୍କ ସହ ସିଧାସଳଖ କଥା ହେବେ, ଘରଦ୍ୱାର, ଫସଲ ଏବଂ ଭିତ୍ତିଭୂମିର କ୍ଷୟକ୍ଷତି ବୁଝିବେ ଏବଂ ଚାଲୁଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ।
ଗଞ୍ଜାମର ବନ୍ୟା ପରିସ୍ଥିତିକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଗଭୀର ଚିନ୍ତା ପ୍ରକାଶ କରିଥିଲେ। ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ଜମିସ୍ତରର ସ୍ଥିତି ଆକଳନ ପାଇଁ ବିଜେଡିର ଏକ ବରିଷ୍ଠ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଥିଲେ।
ବନ୍ୟା ଜଳ ଯୋଗୁଁ ଏହି ବ୍ଲକଗୁଡ଼ିକରେ ରାସ୍ତାଘାଟ ବିଚ୍ଛିନ୍ନ ହେବା ସହ ଘରଦ୍ୱାର ଭାଙ୍ଗିଯାଇଥିଲା। ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ରିଲିଫ୍ ଶିବିର, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ବେଳେ ଅନେକ ସ୍ଥାନରେ ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି।
ନଭେମ୍ବର ୭ ତାରିଖରେ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଗସ୍ତ ପ୍ରଭାବିତ ଅଞ୍ଚଳର ରିଲିଫ୍ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ମାନସିକ ସାହାସ ପ୍ରଦାନ କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।