ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗ ଭିତରେ ମତଭେଦ ଖବର ସାମ୍ନାକୁ ଆସିବା ପରେ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ଧରଣର ବୟାନ ଦେଇଛନ୍ତି। ସେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦେବାକୁ ଦାବି କରିବା ସହ ‘ସ୍ୱତନ୍ତ୍ର ନିବିଡ଼ ସଂଶୋଧନ’ ପ୍ରକ୍ରିୟାକୁ ପୁନର୍ବିଚାର କରିବାକୁ ଆହ୍ୱାନ ଜଣାଇଛନ୍ତି।
ବିଧାନସଭା ବାହାରେ ଗଣମାଧ୍ୟମ ସହ କଥା ହୋଇ ନବୀନ ପଟ୍ଟନାୟକ କହିଛନ୍ତି, “ବିଭିନ୍ନ ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ଘୋର ମତଭେଦ ରହିଥିବାରୁ ମୁଖ୍ୟ ନିର୍ବାଚନ କମିଶନରଙ୍କର ତୁରନ୍ତ ଇସ୍ତଫା ଦିଆଯିବା ଉଚିତ୍ ଏବଂ ସମଗ୍ର SIR ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ ପୁନଃପରୀକ୍ଷା କରାଯିବା ଦରକାର। ବିଜେଡି ଆରମ୍ଭରୁ ଏହି SIR ପ୍ରକ୍ରିୟାର ବିରୋଧ କରିଆସୁଛି ଏବଂ ଆମେ ଏହାକୁ ଅତି ଦୃଢ଼ତାର ସହ ଉଠାଇବୁ।”
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀ ଗତ ୧୦ ମାସ ଭିତରେ କମିଶନଙ୍କ ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟପନ୍ଥାକୁ ନେଇ ଅନ୍ତତଃ ୧୪ ଥର ଆନୁଷ୍ଠାନିକ ଭାବେ ଅସନ୍ତୋଷ ପ୍ରକାଶ କରିଥିଲେ। ଭୋଟର ପଞ୍ଜୀକରଣ, ନାମ ବାତିଲ୍ ଏବଂ ଫର୍ମ-୬ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ଅଜାଣତରେ ନିଷ୍ପତ୍ତି ନିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସଂଶୋଧନ ପ୍ରକ୍ରିୟା ଯୋଗୁଁ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୧୩ କୋଟିରୁ ଅଧିକ ନାମାଙ୍କନ ବାତିଲ୍ ହୋଇଥିବା ଜଣାପଡ଼ିଛି।
ଏହା ବ୍ୟତୀତ MMDR ଆଇନ ପ୍ରସଙ୍ଗରେ ମଧ୍ୟ ନବୀନ ପଟ୍ଟନାୟକ ରାଜ୍ୟ ସରକାର ଏବଂ ବିଜେେଡି ସାଂସଦମାନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଓଡ଼ିଶାର ବିଜେେଡିର ୨୦ ଜଣ ଲୋକସଭା ସାଂସଦ ସଂସଦରେ ଏହି ବିଲ୍କୁ ସମର୍ଥନ କରିଥିଲେ, ତେବେ ଅନ୍ୟମାନଙ୍କୁ ଦୋଷ ଦେବାର କୌଣସି ଅର୍ଥ ନାହିଁ। ଏହି ଆଇନ ଯୋଗୁଁ ରାଜ୍ୟ ସରକାରଙ୍କ ରାଜସ୍ୱରେ ପ୍ରବଳ କ୍ଷତି ହେବା ଆଶଙ୍କା ଥିବାରୁ ବିଜେଡି ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଭାବେ ଉତ୍ଥାପନ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।