ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ନବରତ୍ନ ସରକାରୀ ସଂସ୍ଥା ‘ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍’ (NLCIL) ର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଏହି ସଂସ୍ଥାର ନିର୍ଦ୍ଦେଶକ (ଅର୍ଥ) ଭାବେ କାର୍ଯ୍ୟ କରୁଥିଲେ। ତାମିଲନାଡୁର ନେଇଭେଲି ସ୍ଥିତ କୋର୍ପୋରେଟ୍ କାର୍ଯ୍ୟାଳୟରେ ସେ ପଦଭାର ସମ୍ଭାଳିଛନ୍ତି।
ଉର୍ଜା, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ପ୍ରାୟ ତିନି ଦଶନ୍ଧିର ବ୍ୟାପକ ଅଭିଜ୍ଞତା ଥିବା ଡ. ଆଚାର୍ଯ୍ୟ ପୂର୍ବରୁ ଗ୍ରୀଡ୍କୋ (GRIDCO), ଏନ୍ଟିପିସି (NTPC) ଏବଂ ଟାଟା ପାୱାର ଭଳି ପ୍ରମୁଖ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଚେନ୍ନାଇ ମେଟ୍ରୋ ରେଲ୍ ଲିମିଟେଡ୍ (CMRL) ର ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ସମେତ ଅନେକ ବୃହତ୍ ଭିତ୍ତିଭୂମି ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ପିଏଚ୍ଡି ଡିଗ୍ରୀ ହାସଲ କରିଥିବା ଡ. ଆଚାର୍ଯ୍ୟ ଆଇନ (Law), ମାଷ୍ଟର ଅଫ୍ କମର୍ସ (M.Com) ଏବଂ ଏମ୍ବିଏ (MBA) ମଧ୍ୟ ଶେଷ କରିଛନ୍ତି। ଏହାସହ ସେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆଣ୍ଡ୍ ମ୍ୟାନେଜମେଣ୍ଟ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆର ଜଣେ ‘ଫେଲୋ’ ସଦସ୍ୟ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟେରୀଜ୍ ଅଫ୍ ଇଣ୍ଡିଆର ଜଣେ ‘ଆସୋସିଏଟ୍’ ସଦସ୍ୟ ଅଟନ୍ତି।
ଏନ୍ଏଲ୍ସି ଇଣ୍ଡିଆରେ କାର୍ଯ୍ୟକାଳ ମଧ୍ୟରେ ସେ ଡିଜିଟାଲ୍ ରୂପାନ୍ତରଣ, ଇଆରପି (ERP) ପ୍ରଣାଳୀର ଆଧୁନିକୀକରଣ, କୃତ୍ରିମ ବୁଦ୍ଧିମତ୍ତା (AI) ଆଧାରିତ ପରିଚାଳନା ଏବଂ ପ୍ରଶାସନିକ ଆର୍ଥିକ ସଂସ୍କାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।