ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁବ୍ୟବସ୍ଥିତ ଏବଂ ତ୍ୱରିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ସ୍ୱତନ୍ତ୍ର ଇ-ପୋର୍ଟାଲ୍ (e-portal) ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀମନ୍ଦିରର ଜମିରେ ଦୀର୍ଘ ଦିନ ହେବ ବାସ କରୁଥିବା ସେବାୟତ ଏବଂ ଅଣ-ସେବାୟତମାନଙ୍କୁ ଜମି ମାଲିକାନା (Land Rights) ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ କରିବା ଏହି ପୋର୍ଟାଲର ମୂଳ ଲକ୍ଷ୍ୟ।
ପ୍ରସ୍ତାବିତ ଇ-ପୋର୍ଟାଲ୍ ଜରିଆରେ ମହାପ୍ରଭୁଙ୍କ ଜମି ଦଖଲରେ ରହିଥିବା ବ୍ୟକ୍ତିମାନେ ସେମାନଙ୍କର ଆବଶ୍ୟକୀୟ ତଥ୍ୟ ଅନଲାଇନ୍ ମାଧ୍ୟମରେ ସହଜରେ ଦାଖଲ କରିପାରିବେ। ଏହାଦ୍ୱାରା ଜମିଧାରୀମାନଙ୍କର ଏକ ସଠିକ୍ ଓ ସମଗ୍ର ଡାଟାବେସ୍ (Comprehensive Database) ପ୍ରସ୍ତୁତ ହୋଇପାରିବ ଏବଂ ବନ୍ଦୋବସ୍ତ ପ୍ରକ୍ରିୟା ଅଧିକ ସୁବିଧାଜନକ ହେବ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୋର୍ଟାଲକୁ ଅଧିକ ସୁଗମ ଏବଂ ଲୋକୋପଯୋଗୀ କରିବା ପାଇଁ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସମାଲ, ଅତିରିକ୍ତ ସଚିବ ଶିବପ୍ରସାଦ ମହାପ୍ରାତ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଭର୍ଚୁଆଲ୍ ମୋଡ଼ରେ ବୈଠକରେ ଯୋଗଦେଇଥିବାବେଳେ OCAC ଏବଂ ONIC ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।