ଭୁବନେଶ୍ୱର: ମହାରାଷ୍ଟ୍ରରେ ନିଅଣ୍ଟିଆ ବର୍ଷା ଯାହାକୁ ନେଇ ଏବେ ଗଭୀର ମରୁଡ଼ି ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟର ସମବାୟ ମନ୍ତ୍ରୀ ବାବାସାହେବ ପାଟିଲ୍ ସୂଚନା ଦେଇଛନ୍ତି ଯେ, ସାରା ଜୀବନରେ ସେ ଏଭଳି ଭୟଙ୍କର ମରୁଡ଼ି କେବେ ଦେଖି ନାହାନ୍ତି। ବିଜେପି ନେତୃତ୍ୱାଧୀନ ମହାଯୁତି ସରକାର ଖୁବ୍ଶୀଘ୍ର ରାଜ୍ୟରେ ୧୦୦ ପ୍ରତିଶତ ମରୁଡ଼ି ଘୋଷଣା କରିପାରନ୍ତି।
ମରୁଡ଼ିର କାରଣ ଓ ସରକାରୀ ପଦକ୍ଷେପ: ଅମରାବତୀ, ସୋଲାପୁର, ଲାତୁର ସମେତ ୬ଟି ଜିଲ୍ଲାରେ ୪୦ ରୁ ୫୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା କାରଣରୁ ସୋୟାବିନ୍, କପା, ଆଖୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଏନଡିଆରଏଫ୍ (NDRF) ନିୟମାବଳୀ ଅନୁସାରେ ସେପ୍ଟେମ୍ବର ଶେଷ ସୁଦ୍ଧା ମରୁଡ଼ି ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼, ବିଦ୍ୟୁତ୍ ବିଲ୍ ଛାଡ଼ ଏବଂ ଜଳ ଟ୍ୟାଙ୍କର ନିୟୋଜନ ଭଳି ଜରୁରୀ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନକରି ଅକ୍ଟୋବର ୫ ପରେ ଆନୁଷ୍ଠାନିକ ଫସଲ କ୍ଷତିର ଆକଳନ କରାଯିବ।
ଓଡ଼ିଶା ବଜାର ଉପରେ ଏହାର ପ୍ରଭାବ:ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲେ ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼ିବାର ଆଶଙ୍କା ରହିଛି, କାରଣ ମହାରାଷ୍ଟ୍ରରୁ ବହୁ ପରିମାଣର ଖାଦ୍ୟସସ୍ୟ ଓ ଫଳମୂଳ ଓଡ଼ିଶାକୁ ରପ୍ତାନୀ ହୋଇଥାଏ । ନାସିକରୁ ପିଆଜ, ନାଗପୁରରୁ କମଳା, ସୋଲାପୁର ଓ ନାସିକରୁ ଡାଳିମ୍ବ ଏବଂ ସାଙ୍ଗଲିରୁ ଅଙ୍ଗୁର ଓଡ଼ିଶା ବଜାରକୁ ଆସିଥାଏ।
ରତ୍ନାଗିରି ଓ ସିନ୍ଧୁଦୁର୍ଗରୁ ‘ଆଲ୍ଫୋନ୍ସୋ’ ଆମ୍ବ ଏବଂ ମହାବଳେଶ୍ବରରୁ ଷ୍ଟ୍ରବେରୀ ମଧ୍ୟ ଆସିଥାଏ। ସୋୟାବିନ୍ ତେଲ, ରିଫାଇନ୍ ସୂର୍ଯ୍ୟମୁଖୀ ତେଲ ଏବଂ ମୁମ୍ବାଇ ବଜାରରୁ କାଜୁ, ବାଦାମ, ପିସ୍ତା ଓ କିସମିସ୍ ରପ୍ତାନୀ ହ୍ରାସ ପାଇଲେ ଓଡ଼ିଶାରେ ଦରବୃଦ୍ଧି ହେବାର ସମ୍ଭାବନା ରହିଛି।