ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ଙ୍କ ୬୧ତମ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ ର ପ୍ରଥମ ଗୀତ ‘ତୁ ମିଲ୍ ଯାଏ’ ମୁକ୍ତିଲାଭ କରିଛି। ଏହି ସ୍ୱତନ୍ତ୍ର ଉପହାର ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ସୃଷ୍ଟି କରିଛି। ରୋମାଣ୍ଟିକ୍ ଆକ୍ସନ୍-ଡ୍ରାମା ଉପରେ ଆଧାରିତ ଏହି ଗୀତରେ ଶାହରୁଖ ଖାନ୍ ଏବଂ ଦୀପିକା ପାଦୁକୋନ୍ଙ୍କ ଚମତ୍କାର ରୋମାଣ୍ଟିକ୍ କେମିଷ୍ଟ୍ରି ଦେଖିବାକୁ ମିଳିଛି।
ମ୍ୟୁଜିକ୍ ଭିଡିଓଟି ଶାହରୁଖ ଖାନ୍ଙ୍କ ଏକ ଦମଦାର ଓ ଗମ୍ଭୀର ଡାଏଲଗ୍ରୁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଉଭୟ କଳାକାରଙ୍କ ରୋମାଣ୍ଟିକ୍ ଦୃଶ୍ୟ ଏବଂ ଆକ୍ସନ୍ ଅବତାର ଆଡ଼କୁ ଗତି କରିଛି। ଗୀତରେ ଦୀପିକା ଏବଂ ଶାହରୁଖଙ୍କ ଡ୍ୟାନ୍ସ ସହ ଅଭିନେତାଙ୍କ ଶତ୍ରୁମାନଙ୍କ ସହ ଲଢ଼େଇ କରିବାର ଆକ୍ସନ୍ ରୂପ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ସାଜିଛି।
ଏହି ଗୀତର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସଙ୍ଗୀତ ଏବଂ କଣ୍ଠଶିଳ୍ପୀ। ଭାରତର ଲୋକପ୍ରିୟ ଗାୟକ ଅରିଜିତ୍ ସିଂହ ଏବଂ ମଧୁବନ୍ତୀ ବାଗଚୀଙ୍କ ସହ ଆନ୍ତର୍ଜାତୀୟ ପପ୍ ଷ୍ଟାର୍ ଏଡ୍ ଶୀରନ୍ ଏଥିରେ ସ୍ୱର ଦେଇଛନ୍ତି। ଏଡ୍ ଶୀରନ୍ ନିଜେ ଲେଖିଥିବା ଇଂରାଜୀ ରାପ୍ ଗାଇ ଗୀତଟିକୁ ଅନ୍ତର୍ଜାତୀୟ ସ୍ୱାଦ ଦେଇଛନ୍ତି। ସଚିନ-ଜିଗର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର କୁମାର ହିନ୍ଦୀ ଲିରିକ୍ସ ଲେଖିଛନ୍ତି। ପିୟୂଷ-ଶାଜିଆ ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଶାହରୁଖ ଓ ଦୀପିକାଙ୍କ ବ୍ୟତୀତ ସୁହାନା ଖାନ୍, ଅଭିଷେକ ବଚ୍ଚନ୍, ଜୟଦୀପ ଅହଲାୱତ ଏବଂ ରାଘବ ଜୁୟାଲ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ’ ଏବଂ ‘ମାର୍ଫ୍ଲିକ୍ସ ପିକ୍ଚର୍ସ’ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମ ଆସନ୍ତା ୨୦୨୬ ଡିସେମ୍ବର ୨୪ ରେ ସାରା ବିଶ୍ୱର ସିନେମାହଲ୍ରେ ମୁକ୍ତିଲାଭ କରିବ।