କଟକ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ କନକପୁରସ୍ଥିତ ପ୍ରସିଦ୍ଧ ପୀଠ ମା’ ଶାରଳା ମନ୍ଦିରରେ ଦୋକାନ ନିଲାମ ନେଇଥିବା ୬ ଜଣ ଦୋକାନୀ ୧ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ବାକି ରଖିଥିବା ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାର ଏବଂ ଓଡ଼ିଶା ଦେବୋତ୍ତର କମିଶନରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୭ ତାରିଖରେ ହେବ।
ଅମ୍ବିକା ମହାନ୍ତି ଏବଂ ଅନ୍ୟ ଦୁଇଜଣ ଆବେଦନକାରୀ ହାଇକୋର୍ଟରେ ଏହି ମାମଲା ଦାୟର କରିଥିଲେ। ଆବେଦନକାରୀମାନେ ଦେବୋତ୍ତର କମିଶନର ଏବଂ କଟକ ସହକାରୀ ଦେବୋତ୍ତର କମିଶନରଙ୍କ ଦ୍ୱାରା ଏକ ମିଳିତ ତଦନ୍ତ କରିବା ସହ ବାକି ପଡ଼ିଥିବା ପ୍ରାପ୍ୟ ତୁରନ୍ତ ଆଦାୟ କରିବାକୁ ଦାବି କରିଛନ୍ତି।
ମନ୍ଦିର ପରିସରରେ ଭୋଗ ଓ ଦୀପ ବିକ୍ରି ପାଇଁ ନିର୍ବାହୀ ଅଧିକାରୀ ୩ ବର୍ଷ ପାଇଁ ଦୋକାନଗୁଡ଼ିକର ନିଲାମ କରିଥିଲେ। ସର୍ବାଧିକ ବୋଲି ଲଗାଇଥିବା ୬ ଜଣ ବ୍ୟକ୍ତିଙ୍କୁ ଦୋକାନ ହସ୍ତାନ୍ତର କରାଯାଇଥିଲା, ମାତ୍ର ସେମାନେ ନିଲାମ ରାଶି ପୈଠ କରିବାରେ ବିଫଳ ହୋଇଥିଲେ।
ଦୋକାନୀଙ୍କ ନିକଟରେ ମୋଟ ୧ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ବାକି ରହିଛି। ଜଣେ ଦୋକାନୀଙ୍କ ନିକଟରେ ୩୫ ଲକ୍ଷ ଟଙ୍କା, ଅନ୍ୟ ଜଣଙ୍କ ନିକଟରେ ୨୩.୬୦ ଲକ୍ଷ ଟଙ୍କା, ଏବଂ ଅନ୍ୟ ଦୁଇଜଣଙ୍କ ନିକଟରେ ଯଥାକ୍ରମେ ୨୦.୯୯ ଲକ୍ଷ ଓ ୧୯.୪୨ ଲକ୍ଷ ଟଙ୍କା ଅସୁଲ୍ ହେବାକୁ ବାକି ଅଛି।
ଜଷ୍ଟିସ୍ ଏସ. କେ. ପାଣିଗ୍ରାହୀ ଏବଂ ଜଷ୍ଟିସ୍ ଏମ. ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅକ୍ଟୋବର ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାର ଓ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।