ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବଡ଼ମ୍ବାସ୍ଥିତ ପ୍ରସିଦ୍ଧ ମା’ ଭଟ୍ଟାରୀକା ପୀଠରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀ ଜଳସ୍ତର ବୃଦ୍ଧି ପାଇବା କାରଣରୁ ମନ୍ଦିରର ଗର୍ଭଗୃହ ନିକଟରେ ପାଣି ପହଞ୍ଚିଥିବାବେଳେ ଆଗକୁ ନବରାତ୍ରୀ ପୂଜା ଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।
ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ବଡ଼ମ୍ବାସ୍ଥିତ ଭଟ୍ଟାରୀକା ମନ୍ଦିର ଏବଂ ସିଂହନାଥ ମନ୍ଦିର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି। ଜଳସ୍ତର ଆଉ ଦୁଇ ଫୁଟ୍ ବୃଦ୍ଧି ପାଇଲେ ମା’ ଭଟ୍ଟାରୀକାଙ୍କ ବିଗ୍ରହକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ତେବେ ବନ୍ୟାସ୍ଥିତି ସତ୍ତ୍ୱେ ମନ୍ଦିରର ନିୟମିତ ପୂଜାର୍ଚ୍ଚନା ଏବଂ ରୀତିନୀତି ଅବ୍ୟାହତ ରହିଛି ବୋଲି ମନ୍ଦିର ପୂଜାରୀ ଶିରୀଶ ରଣା ସୂଚନା ଦେଇଛନ୍ତି।
ସେପ୍ଟେମ୍ବର ୨୩ ଏବଂ ୨୪ ରାତିରେ ଏକ ଗଭୀର ଅବପାତ ସୃଷ୍ଟି ହୋଇ ଛତିଶଗଡ଼ ଆଡ଼କୁ ଗତି କରିବା ପରେ ଉପର ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହୋଇଥିଲା। ସେପ୍ଟେମ୍ବର ୨୫ ରେ ହାରାହାରି ୩୯.୧୪ ମିମି ଏବଂ ସେପ୍ଟେମ୍ବର ୨୬ ରେ ୭୧.୬୬ ମିମି ବର୍ଷା ରେକର୍ଡ କରାଯାଇଥିଲା। ଏହି ଲଗାତାର ବର୍ଷା ଯୋଗୁଁ ସୋନାଥ ଏବଂ ଜୋଙ୍କ୍ ନଦୀରେ ଜଳପ୍ରବାହ ବୃଦ୍ଧି ପାଇଥିଲା।
ଛତିଶଗଡ଼ର ରବିଶଙ୍କର ସାଗର (ଗାଙ୍ଗ୍ରେଲ୍ ଡ୍ୟାମ୍) ପ୍ରାୟ ୨.୫୦ ଲକ୍ଷ କୁସେକ୍ ଜଳ ଛାଡ଼ିବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ପାଇଁ ପ୍ରଥମେ ୨୦ଟି ଏବଂ ପରେ ଆଉ ୮ଟି ସମେତ ମୋଟ ୨୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦରୁ ୪,୫୬,୭୯୨ କୁସେକ୍ ଜଳ ନିଷ୍କାସିତ ହେଉଥିବାବେଳେ ଜଳଭଣ୍ଡାରର ଜଳସ୍ତର ୬୨୮.୩୫ ଫୁଟ୍ ରହିଛି। ଜଳସମ୍ପଦ ବିଭାଗ ସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।