ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଏକକାଳୀନ ଚଢ଼ଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସୀ ଅଭିଯାନ ଜାରି ରହିଛି।
ଏହି ଚଢ଼ଉରେ ୮ ଜଣ ଡିଏସ୍ପି (DSPs), ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ (ASIs) ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି, ଯେଉଁଥିରେ ନିମ୍ନୋକ୍ତ ଠିକଣାଗୁଡ଼ିକ ଅନ୍ତର୍ଭୁକ୍ତ:
ସମ୍ବଲପୁର ଧନକଉଡ଼ା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ଏକ ୩ବିଏଚ୍କେ (3BHK) ଫ୍ଲାଟ୍।
ଭୁବନେଶ୍ୱର ନନ୍ଦନକାନନ ରୋଡ୍ ନନ୍ଦନ ବିହାରରେ ଥିବା ଏକ ଡୁପ୍ଲେକ୍ସ।
ଭୁବନେଶ୍ୱର ବରାଳକୁଣ୍ଡ (ଜଟଣୀ ନିକଟ) ଇଣ୍ଡସ୍ ଇଞ୍ଜିନିୟରିଂ କଲେଜ ପାଖରେ ଥିବା ଏକ କୋଠା।
ପୁରୀ ବାଳିଗୁଆଳି ତୋଟା ବେହେରା ସାହିରେ ଥିବା ଏକ ତିନି ମହଲା କୋଠା।
ଖୋର୍ଦ୍ଧା ବାଲୁଗାଁ ସୁଭାଷ ମାର୍ଗରେ ଥିବା ଏକ ଦୁଇ ମହଲା କୋଠା।
ବାଲୁଗାଁ ଅଶୋକ ନଗରସ୍ଥିତ ତାଙ୍କର ପୈତୃକ ବାସଭବନ (ଦୁଇ ମହଲା କୋଠା)।
ସମ୍ବଲପୁର କାରଖାନା ଓ ବଏଲର ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କର ଅଫିସ୍ କୋଠରି। ଶେଷ ଖବର ସୁଦ୍ଧା ଚଢ଼ଉ ଜାରି ରହିଥିବାବେଳେ ଠୁଳ ହୋଇଥିବା ମୋଟ ସମ୍ପତ୍ତିର ପରିମାଣ ସମ୍ପର୍କରେ ଅଧିକ ତଥ୍ୟ ଆଗକୁ ଜଣାପଡ଼ିବ।