କଟକ: ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ, ଅର୍ଥାତ୍ ମୂଳାଷ୍ଟମୀ। ଏହି ଦିନଠାରୁ କଟକ ସହରର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା। ଘଣ୍ଟଘଣ୍ଟା, ମନ୍ତ୍ରୋଚ୍ଚାରଣ ଓ ସ୍ୱତନ୍ତ୍ର ନୀତିକାନ୍ତିରେ ଚଳଚଞ୍ଚଳ ହୋଇଉଠିଛି କଟକର ସମସ୍ତ ଦେବୀପୀଠ। କଟକର ଆରାଧ୍ୟ ଦେବୀ ମା’ କଟକଚଣ୍ଡୀଙ୍କ ପୀଠରେ ଗତ କାଲିଠାରୁ ଆରମ୍ଭ ହୋଇଯାଇଛି ଷୋଳପୂଜା। ମୂଳାଷ୍ଟମୀ ଅବସରରେ ସହସ୍ର କୁମ୍ଭାଭିଷେକ ପରେ ଘଟ ସ୍ଥାପନ କରାଯାଇଛି । ଏହାପରେ ଆରମ୍ଭ ହୋଇଥିଲା ମା’ଙ୍କ ଷୋଡ଼ଶ ଦିନାତ୍ମକ ପୂଜା। ଏହି ସମୟରେ ଭିନ୍ନ ଭିନ୍ନ ବେଶରେ ମା’ କଟକଚଣ୍ଡୀ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କେବଳ କଟକଚଣ୍ଡୀ ନୁହେଁ, କଟକର ଅନ୍ୟ ପ୍ରମୁଖ ଦେବୀପୀଠରେ ମଧ୍ୟ ଗତ କାଲିଠାରୁ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜା। ଗଡ଼ଚଣ୍ଡୀ ପୀଠରେ ମଧ୍ୟ ଚାଲିଛି ଷୋଳପୂଜା | ଝାଞ୍ଜିରିମଙ୍ଗଳା ପୀଠରେ ମୂଳାଷ୍ଟମୀ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସହରର ଅନ୍ୟ ଶକ୍ତିପୀଠ ଚାଉଳିଆଗଞ୍ଜ ଦୁର୍ଗାମନ୍ଦିର, ମଙ୍ଗଳାବାଗ ବାଘମଙ୍ଗଳା, ପିଠାପୁର ଧାକୁଲେଇ ଓ ଭୁଆଁଶୁଣୀ ପୀଠରେ ମଧ୍ୟ ମା’ଙ୍କ ଷୋଡ଼ଶ ଉପଚାର ପୂଜାକୁ ନେଇ ପ୍ରସ୍ତୁତି ଶେଷ ହୋଇଛି । ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ପୂଜା ପରମ୍ପରା କଟକର ଶାରଦୀୟ ଉତ୍ସବର ଏକ ପ୍ରମୁଖ ଅଂଶ। ଗୋଟିଏ ପଟେ ପ୍ରାଚୀନ ଦେବୀପୀଠରେ ନୀତିକାନ୍ତି, ଅନ୍ୟପଟେ ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠୁଛି ସହର | ମା’ଙ୍କ ଆଗମନକୁ ନେଇ କଟକର ପରିବେଶ ଏବେଠାରୁ ଭକ୍ତିମୟ ହୋଇପଡିଛି । କେବଳ କଟକ ସହର ନୁହେଁ ସାରା ରାଜ୍ୟରେ ଥିବା ପ୍ରମୁଖ ଶକ୍ତି ପୀଠ ଗୁଡିକରେ ଗତ କାଲିଠାରୁ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି | ମୂଳାଷ୍ଟମୀରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ ଏହି ଶାରଦୀୟ ନୀତିକାନ୍ତି ।