ଭୁବନେଶ୍ୱର/ଗାନ୍ଧୀନଗର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଓ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ପାରସ୍ପରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗୁଜରାଟ ଗସ୍ତରେ ଯାଇଛନ୍ତି।
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ ଅଛନ୍ତି।
ଗୁଜରାଟର ବିପର୍ଯ୍ୟୟ ପ୍ରତିଷ୍ଠାନ ପରିଦର୍ଶନ: ଗସ୍ତ ସମୟରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା OSDMA ର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ଏବଂ ଅନ୍ୟ ଅଧିକାରୀମାନେ ଗାନ୍ଧୀନଗରସ୍ଥିତ ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଗୁଜରାଟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି।
ଏହାସହ ଭୁଜସ୍ଥିତ ବିଶ୍ୱପ୍ରସିଦ୍ଧ ‘ସ୍ମୃତିବନ ଭୂକମ୍ପ ସ୍ମାରକୀ ଏବଂ ସଂଗ୍ରହାଳୟ’ (Smrutivan Earthquake Memorial and Museum) ବୁଝି ଦେଖିବା ସହ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଜ୍ଞାନ ଆହରଣ କରିଛନ୍ତି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ସହ ଆଲୋଚନା: ଏହି ଗସ୍ତ ଅବସରରେ ଓଡ଼ିଶା ପ୍ରତିନିଧି ଦଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲଙ୍କୁ ଭେଟି ଉଭୟ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଛନ୍ତି।
ସେହିପରି ଗୁଜରାଟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟସିଂହ ବିଜୟସିଂହ ମହିଡା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟନ୍ତୀ ଏସ୍. ରବିଙ୍କ ସହିତ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।