ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ସମୟରେ ଆକାଶବାଣୀ ଭବନରେ ଜବରଦସ୍ତି ପ୍ରବେଶ କରିଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସେମାନଙ୍କ ସହ ଥିବା ଇଣ୍ଡିଆ ବ୍ଲକର ଅନ୍ୟ ସାଂସଦମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି।
ଗତ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଆଡ଼କୁ ଶାସକ ବିରୋଧୀ ପଦଯାତ୍ରାକୁ ପୋଲିସ ଅଟକାଇବା ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ସଂସଦ ମାର୍ଗ ନିକଟସ୍ଥ ଆକାଶବାଣୀ ଭବନ ଏବଂ ନୀତି ଆୟୋଗ ଅଫିସ୍ ପରିସରରେ ଧାରଣାରେ ବସିଥିଲେ।
ପୋଲିସ ବାରିକେଡ୍ ଡେଇଁ ଏହି ନେତାମାନେ ଜବରଦସ୍ତି ଆକାଶବାଣୀ ଭବନର ରିସେପ୍ସନ ଗେଟ୍ ଦେଇ ଭିତରକୁ ପ୍ରବେଶ କରିଥିଲେ ଏବଂ ପରିସରରେ ଥିବା ଏକ ଗଛମୂଳେ ବସି ପ୍ରତିବାଦ ଜାରି ରଖିଥିଲେ।
ପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ କିଛି ଘଣ୍ଟା ପରେ ଛାଡ଼ି ଦେଇଥିଲା। ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ମାଧ୍ୟମରେ ଭୋଟର ତାଲିକାରୁ ନାଁ ବାଦ୍ ଦିଆଯିବା ଏବଂ ସିଇଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା।
ପୋଲିସର ବାରଣ ସତ୍ତ୍ୱେ ଅନୁମତି ବିନା ସରକାରୀ କୋଠା ଭିତରେ ଜବରଦସ୍ତି ପଶିଥିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।