ଭୁବନେଶ୍ୱର: ଆସନ୍ତାକାଲିର ଓଡ଼ିଶା ବନ୍ଦ ଡାକରାକୁ ନେଇ ବିଜୁ ଜନତା ଦଳ ତାହାର ଆଭିମୁଖ୍ୟରେ ବଡ଼ଧରଣର ପରିବର୍ତ୍ତନ ଆଣିଛି। ମାତ୍ର ଅଧ ଘଣ୍ଟାଏ ଭିତରେ ଦଳ ନିଜର ନିଷ୍ପତ୍ତିରୁ ଓହରି ଯାଇ ବନ୍ଦକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଦଳର ବରିଷ୍ଠ ନେତ୍ରୀ ତଥା ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଏହି ୟୁ-ଟର୍ଣ୍ଣ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଅଧ ଘଣ୍ଟାରେ ବଦଳିଲା ବୟାନ: ପ୍ରଥମେ ନବୀନ ନିବାସରେ ବୈଠକ ସାରି ଫେରିବା ପରେ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଇଣ୍ଡି ମେଣ୍ଟ (INDIA bloc) ପକ୍ଷରୁ ଆହ୍ୱାନ କରାଯାଇଥିବା ଆସନ୍ତାକାଲିର ଓଡ଼ିଶା ବନ୍ଦକୁ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ।
କିନ୍ତୁ ଏହାର କିଛି ସମୟ ପରେ ସେ ନିଜ ମତ ବଦଳାଇ ସ୍ପଷ୍ଟ କରିଥିଲେ ଯେ, ବିଜେଡି ଓଡ଼ିଶା ବନ୍ଦକୁ ସମର୍ଥନ କରିବ ନାହିଁ। କଂଗ୍ରେସ ସହିତ ଦଳର କୌଣସି ମେଣ୍ଟ ନାହିଁ ଏବଂ ବିଜେଡି ସବୁବେଳେ ସମଦୂରତା ନୀତିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। “ଯିଏ ବନ୍ଦ ଡାକରା ଦେଇଛନ୍ତି, ସେ କ’ଣ ଆମକୁ ପଚାରିଥିଲେ?” ବୋଲି ପ୍ରଶ୍ନ କରି ସେ କହିଛନ୍ତି ଯେ ଦଳ କେବଳ ଏସ୍.ଆଇ.ଆର (SIR) ଏବଂ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ କରିଛି, କିନ୍ତୁ ବନ୍ଦରେ ସାମିଲ ହେବ ନାହିଁ।
ବିଜେଡିର ଏପରି ପରସ୍ପରବିରୋଧୀ ବୟାନକୁ ନେଇ ଶାସକ ଦଳ ବିଜେପି ତୀବ୍ର ସମାଲୋଚନା କରିଛି। ବିଜେପି ନେତା ସୁରଥ ବିଶ୍ୱବିଶାଳ କହିଛନ୍ତି ଯେ ବିଜେଡି ଏକ ସୁବିଧାବାଦୀ ଦଳ ଏବଂ ଏହା ଏବେ ଅସ୍ଥିରତା ଓ ଅନିଶ୍ଚିତତା ଦେଇ ଗତି କରୁଛି। କେଉଁଥିରେ ସୁବିଧା ରହିବ, ସେଥିପାଇଁ ଦଳ ଏଭଳି ଭିନ୍ନ ଭିନ୍ନ ଆଚରଣ କରୁଛି ବୋଲି ସେ କହିଛନ୍ତି।