କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଉତ୍ତର କୋଲକାତାସ୍ଥିତ ପ୍ରସିଦ୍ଧ ଚୋରବାଗାନ ସର୍ବୋଜନୀନ ଦୁର୍ଗାପୂଜା ପଣ୍ଡାଲରେ ଏକ ମର୍ମନ୍ତୁଦ ଦଳାଚକଟା ଘଟିଛି। ଗତକାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ପ୍ରାୟ ୭:୪୦ ମିନିଟ୍ ସମୟରେ ହଠାତ୍ ବର୍ଷା ଆରମ୍ଭ ହେବାରୁ ପଣ୍ଡାଲ ଭୋତିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ପଣ୍ଡାଲର ପ୍ରବେଶ ଓ ପ୍ରସ୍ଥାନ ପଥ ଅତି ସଂକର୍ଣ୍ଣ ହୋଇଥିବାରୁ ଅଧିକ ଚାପ ସୃଷ୍ଟି ହୋଇ ଅଫ୍ରା-ତଫ୍ରି ପରିସ୍ଥିତି ଉପୁଜିଥିଲା ଏବଂ କିଛି ଲୋକ ତଳେ ପଡ଼ିଯିବା ପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା।
ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଏଯାବତ୍ ୧୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୫ ଜଣରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ପୂଜା କମିଟିର ମହାସଚିବ ଏବଂ କିଛି କର୍ମକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ମାଗଣା ଚିକିତ୍ସା କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଧାନମନ୍ତ୍ରୀ ଜାତୀୟ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।