ନୂଆଦିଲ୍ଲୀ: ଜୀବନର ସମସ୍ତ ସମୟ ଗୋଟିଏ ସ୍ଥାନରେ ବିତାଇବା ବେଳେବେଳେ ବେଶ୍ ବୋରିଂ ହୋଇଯାଏ। ତେଣୁ ବ୍ୟାଗ୍ ପ୍ୟାକ୍ କରି ଏହି ସୁନ୍ଦର ଧରଣୀର କୌଣସି ଏକ ସୁନ୍ଦର କୋଣ ବୁଲିଆସିବା ଉଚିତ୍। କେବଳ ଦେଶ-ବିଦେଶ ବୁଲିବା ନୁହେଁ, ବରଂ ସେଠାକାର ଅନନ୍ୟ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏକ ଅଲଗା ରୋମାଞ୍ଚ ସୃଷ୍ଟି କରେ। ଆପଣଙ୍କୁ ଆଡଭେଞ୍ଚର ପାଇଁ ବିଦେଶ ଯିବାର କୌଣସି ଆବଶ୍ୟକତା ନାହିଁ, ଭାରତ ଭିତରେ ରହିଛି ଏଭଳି ରୋମାଞ୍ଚକର ସ୍ଥାନ:
ଚାଡର ଟ୍ରେକ୍ (ଲଦ୍ଦାଖ): ବରଫ ପାହାଡ଼କୁ ଦୂରରୁ ସମସ୍ତେ ଦେଖିଥାନ୍ତି, କିନ୍ତୁ ଏକ ଜମିଥିବା ନଦୀ ଉପରେ ଚାଲିବାର ମଜା କିଛି ଅଲଗା। ଲଦ୍ଦାଖର ଜଂସାର ନଦୀ ଶୀତଦିନେ ସମ୍ପୂର୍ଣ୍ଣ ଜମି ବରଫ ହୋଇଯାଇଥାଏ, ଯାହାକୁ ‘ଚାଡର ଟ୍ରେକ୍’ କୁହାଯାଏ। ଅତ୍ୟନ୍ତ କମ୍ ତାପମାତ୍ରାରେ ଏହି ନଦୀକୁ ପାର୍ କରିବା ଜୀବନର ଏକ ସବୁଠୁ ବଡ଼ ଆଡଭେଞ୍ଚର ଅଟେ।
ରିଭର ରାଫ୍ଟିଂ (ଋଷିକେଶ): ନଦୀର ତୀବ୍ର ଏବଂ ଉଛୁଳା ଲହରୀ ମଧ୍ୟରେ ରାଫ୍ଟ ଦୌଡ଼ାଇବା ଏକ ବେଶ୍ ରୋମାଞ୍ଚକର ଅନୁଭୂତି। ଉତ୍ତରାଖଣ୍ଡର ଋଷିକେଶରେ ଗଙ୍ଗା ନଦୀର ସୁଅରେ ରାଫ୍ଟିଂ କରିବା ପାଇଁ କେବଳ ଦେଶ ଭରରୁ ନୁହେଁ ବରଂ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଆସିଥାଆନ୍ତି।
ଜଙ୍ଗଲ ସଫାରି: କେବଳ ନଦୀ, ପାହାଡ଼ କିମ୍ବା ଝରଣା ନୁହେଁ, ବରଂ ଜଙ୍ଗଲର ମଝିରେ ବୁଲୁଥିବା ବନ୍ୟଜନ୍ତୁଙ୍କୁ ସାମ୍ନାରୁ ଦେଖିବାର ଅନୁଭୂତି ଅତ୍ୟନ୍ତ ରୋମାଞ୍ଚକର। ଜଙ୍ଗଲରେ ମୁକ୍ତ ଭାବେ ବୁଲୁଥିବା ବାଘ କିମ୍ବା ସିଂହଙ୍କୁ ଦେଖିବା ମନରେ ଏକ ଅଲଗା ସିହରଣ ସୃଷ୍ଟି କରିଥାଏ।
ସ୍କୁବା ଡାଇଭିଂ (ଆଣ୍ଡମାନ): ସମୁଦ୍ରର ତଳ ଭାଗରେ ଥିବା ଏକ ଅଦ୍ଭୁତ ଦୁନିଆକୁ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ। ଏଥିପାଇଁ ଆପଣଙ୍କୁ ବିଦେଶ ଯିବାର ଆବଶ୍ୟକତା ନାହିଁ, ଭାରତର ଆଣ୍ଡମାନ ଦ୍ୱୀପପୁଞ୍ଜରେ ସ୍କୁବା ଡାଇଭିଂ ଅତ୍ୟନ୍ତ ପ୍ରସିଦ୍ଧ। ଏଠାରେ ସ୍ୱଚ୍ଛ ପାଣିରେ କୋରଲ ରିଫ୍, ଅକ୍ଟୋପସ୍ ଏବଂ ବିଭିନ୍ନ ପ୍ରଜାତିର ମାଛ ଦେଖିବାର ସୁଯୋଗ ମିଳିଥାଏ।
ରାଜସ୍ଥାନ ମରୁଭୂମିରେ ଡ୍ରାଇଭିଂ: ଚଳଚ୍ଚିତ୍ରରେ କିମ୍ବା ବିଦେଶରେ ବାଲୁକା ରାଶି ମଧ୍ୟରେ ଗାଡ଼ି ଚାଳନା କରିବାର ଦୃଶ୍ୟ ଆପଣ ଦେଖିଥିବେ। ଏହି ରୋମାଞ୍ଚକୁ ଅନୁଭବ କରିବା ପାଇଁ ଦୁବାଇ ଯିବାର କୌଣସି ଆବଶ୍ୟକତା ନାହିଁ, ଆପଣ ରାଜସ୍ଥାନର ଜୈସଲମେରରେ ଏହି ଆଡଭେଞ୍ଚରର ମଜା ଉଠାଇ ପାରିବେ।